ମାଲକାନଗିରି, ୨୭ ସେପ୍ଟେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲାରେ ନୂତନ ଆମ୍ବୁସମ୍ୟାନ ଭାବେ ନୃସିଂହ ଚରଣ ମହାନ୍ତିଙ୍କୁ ଚୟନ କରାଯାଇଛି। ଜିଲ୍ଲାର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗତ ଦୁଇବର୍ଷ ଧରି ଖାଲି ରହିଥିଲା। ଏହି ପଦବୀର ଅନେକ ଭୂମିକା ଓ ମହତ୍ୱ ରହିଛି, ତେବେ ପଦବୀ ଦୌଡ଼ରେ ଅନେକ ବ୍ୟକ୍ତିବିଶେଷ ରହିଥିବାବେଳେ ପରିଶେଷରେ ଏହି ପଦବୀ ପାଇଁ ଶ୍ରୀ ମହାନ୍ତିଙ୍କୁ ଚୟନ କରାଯାଇଛି। ଦୀର୍ଘ ବର୍ଷ ଧରି ଶ୍ରୀ ମହାନ୍ତି ଜିଲ୍ଲାର ଜଣେ ଖ୍ୟାତନାମ ତଥା ବରିଷ୍ଟ ସାମ୍ବାଦିକ ଭାବେ କାର୍ଯ୍ୟ କରି ଆସୁଥିବାବେଳେ ଜିଲ୍ଲାରେ ସେ ଜଣେ ଜଣାଶୁଣା ସମାଜସେବୀ ଭାବେ ପରିଚିତ ଅଟନ୍ତି। ଅନେକ ସମୟରେ ସେ ଅସହାୟ ଓ ଗରିବ ଲୋକଙ୍କୁ ସହାୟତା ପ୍ରଦାନ ଭଳି କାର୍ଯ୍ୟ ଠାରୁ ଆରମ୍ଭ କରି ଶ୍ରମିକଙ୍କୁ ନ୍ୟାୟ ପ୍ରଦାନ, ଦାଦନ ଶ୍ରମିକ ଭଳି ପ୍ରଥା ବନ୍ଦ ଦିଗରେ ସେ ବେଶ୍ ଦୃଷ୍ଟି ଦେଉଥିଲେ। ସେ କେବଳ ଜଣେ ସାମ୍ବାଦିକ ନୁହନ୍ତି ବରଂ ଜଣେ ବରିଷ୍ଟ ଆଇନଜୀବି ଭାବେ ଅନେକ ଗରିବ ଓ ଅସହାୟ ଲୋକଙ୍କୁ ବିଭିନ୍ନ ମାମଲାରେ ସହାୟତା କରିଛନ୍ତି। ସୂଚନା ଥାଉକି ଶ୍ରୀ ମହାନ୍ତି ପୂର୍ବରୁ ଜିଲ୍ଲା ଓକିଲ ସଂଘର ସଭାପତି, ଜିଲ୍ଲା ଲୟର୍ସ ଆସୋସିଏସନ ସଭାପତି, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି। ତେଣୁ ତାଙ୍କୁ ଏହି ପଦବୀ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି। ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଶୁଭେଛା ଓ ଶୁଭକାମନା ଜଣାଇବା ସହ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ଶୁଭେଛା ଜଣାଯାଇଛି। ତେବେ ଓଡ଼ିଶା ସରକାରଙ୍କ ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ସଂଖ୍ୟା ୨୭୧୧୯/୨୫ ଅନୁଯାୟୀ ଶ୍ରୀ ମହାନ୍ତିଙ୍କୁ ଏହି ଦାୟିତ୍ୱ ମିଳିଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ