ନୂଆଦିଲ୍ଲୀ, 27 ସେପ୍ଟେମ୍ବର (ହି.ସ.)- କେନ୍ଦ୍ରୀୟ
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଜଙ୍ଗଲର
କେବଳ ୨୦ ପ୍ରତିଶତ ଅଂଶ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି ଏବଂ ବାକି ୮୦ ପ୍ରତିଶତ ଅଂଶ ସୁରକ୍ଷିତ
ରଖାଯାଇଛି। ଅନ୍ୟାନ୍ୟ ବନ୍ୟଜୀବନକୁ କୌଣସି କ୍ଷତି ନ ପହଁଚାଇ, ଯଦି ଜଙ୍ଗଲର ଅଧିକ ଅଂଶ ପର୍ଯ୍ୟଟନ ପାଇଁ ଖୋଲାଯାଏ, ତେବେ ସ୍ଥାନୀୟ ଆଦିବାସୀମାନଙ୍କର ବିକାଶ ଏବଂ ଉନ୍ନତିକୁ ଆଉ ଅଧିକ
ଉତ୍ସାହିତ କରାଯାଇପାରିବ।
ଗଡ଼କରୀ ଶନିବାର ଦିନ ନୂଆଦିଲ୍ଲୀରେ
ଅନୁଷ୍ଠିତ ବନ୍ୟଜୀବ ଫଟୋ ପ୍ରଦର୍ଶନୀର ଉଦ୍ଘାଟନ ସମାରୋହରେ କହିଛନ୍ତି ଯେ ନାଗପୁର ଏବଂ ଏହା ପାଖରେ
ଥିବା ଜଙ୍ଗଲର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନାଗପୁରରୁ ଜବଲପୁରକୁ ଯିବା ରାଷ୍ଟ୍ରୀୟ
ରାଜପଥରେ ବାଘମାନଙ୍କ ସୁରକ୍ଷା ପାଇଁ ବିଶେଷ ଗଠନ କରାଯାଇଛି, ଯେଉଁଥିରେ ସଡ଼କ ତଳେ ଆଗମନ-ନିର୍ଗମନ ପଥ ଏବଂ ଉପରକୁ ଜଙ୍ଗଲ ଭଳି
ବ୍ୟବସ୍ଥା ରହିଛି, ଯାହା
ଦ୍ୱାରା ବନ୍ୟଜୀବନ ଏବଂ ସଡ଼କ ଯାତାୟାତ ମଧ୍ୟରେ ସନ୍ତୁଳନ ରହିଥାଏ।
ସେ କହିଛନ୍ତି ଯେ
ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଜଙ୍ଗଲରେ ପର୍ଯ୍ୟଟନର ଅବସରକୁ ବିସ୍ତାର କରାଯାଇଛି ଏବଂ ଏଥିରେ
ସ୍ଥାନୀୟ ଆଦିବାସୀ ଯୁବକମାନଙ୍କୁ ଚାକିରି ମିଳିଛି। ପର୍ଯ୍ୟଟନ କ୍ଷେତ୍ରରେ ବିଦ୍ୟୁତ୍
ଯାନବାହନର ବ୍ୟବହାର ବୃଦ୍ଧି କରିବା, ପ୍ରଦୂଷଣ ଏବଂ ଶବ୍ଦ ନିୟନ୍ତ୍ରଣ ପାଇଁ ଉଚ୍ଚତମ ନ୍ୟାୟାଳୟର କମିଟି ଦ୍ୱାରା
ନିର୍ଦ୍ଦେଶ ଜାରି କରାଯାଇଛି।
ମନ୍ତ୍ରୀ କହିଛନ୍ତି ଯେ
ମହାରାଷ୍ଟ୍ରର ପ୍ରାୟ ୮୦ ପ୍ରତିଶତ ବନ୍ୟ ଅଞ୍ଚଳ ବିଦର୍ଭ ଅଞ୍ଚଳରେ ଅବସ୍ଥିତ। ତାଙ୍କର ସଂସଦୀୟ
କ୍ଷେତ୍ରକୁ “ଟାଇଗର
କ୍ୟାପିଟାଲ” ବୋଲି କୁହାଯାଏ।
ଏହି ଅଞ୍ଚଳରେ ବନ୍ୟଜୀବ ସୁରକ୍ଷା ଏବଂ ସ୍ଥାନୀୟ ଚାକିରି ସୃଷ୍ଟି — ଉଭୟ ଉପରେ ସମାନ ଭାବେ ଗୁରୁତ୍ୱ ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା