ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ) - ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ନବ ନିଯୁକ୍ତ ସଭାପତି ପ୍ରକାଶ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ, ପୂର୍ବତନ ଏଆଇସିସି ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଏହି ଗୁରୁ ଦାୟିତ୍ୱ ପାଇଁ ଧନ୍ୟବାଦ । ସେ କହିଛନ୍ତି, ରାହୁଳ ଗାନ୍ଧୀଙ୍କ ଭୋଟ ଚୋରୀ ପର୍ଦାଫାଶ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ମୁହଁ କଳା କାଠ ହୋଇ ଗଲାଣି । ଭୋଟ ଚୋରୀ କରି କେମିତି ବିଜେପି କ୍ଷମାତାସୀନ ହୋଇଛି ଏହି ପ୍ରସଙ୍ଗକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ଏବଂ ଏହାକୁ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ।
ଶ୍ରୀ ଜେନା କହିଛନ୍ତି ଯେ, ବିଗତ ୨୫ ବର୍ଷ ହେବ କେବଳ ରଙ୍ଗ ବଦଳା କାମ ଚାଲିଛି ବର୍ତମାନର ସରକାର ମଧ୍ୟ ପୂର୍ବ ସରକାରର ଅନୁସରଣ କରି ରଙ୍ଗ ବଦଳାଇବାରେ ଲାଗିଛି । ଏନଆରଏଚଏମ ଠାରୁ ଆରମ୍ଭ କରି ଏମ୍ସ, ପାରାଦ୍ୱୀପ ବନ୍ଦର, ନାଲକୋ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ହାଲ, ହୀରାକୁଦ ଡ୍ୟାମ, ଇନ୍ଦ୍ରାବତୀ, କୋଲାବ ଆଦି କଂଗ୍ରେସ ସମୟରେ ହୋଇଥିଲା । ତାଲିକା ଯଦି ଲେଖାଯିବ କାଗଜ ଅଣ୍ଟିବନି ଏମାନେ କେବଳ ରଙ୍ଗ ବଦଳାରେ ବ୍ୟସ୍ତ । ରାଜ୍ୟରେ ଏପରିକି ଭୁବନେଶ୍ୱରରେ ନାରୀ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଛି, ହସ୍ପିଟାଲ ଅଛି ଡାକ୍ତର ନାହାନ୍ତି ସେଇଭଳି ସ୍କୁଲ କଲେଜରେ ଶିକ୍ଷକ ନାହାନ୍ତି, ଭୁବନେଶ୍ୱର ଅଳିଆ ଆବର୍ଜନାରେ ପରିପୂର୍ଣ, ଗୋଟିଏ ପଟେ ସମସ୍ତ ବଡ଼ ବଡ଼ କର୍ପୋରେଟ ହାଉସ ରାଜଧାନୀରେ ଥିବାବେଳେ ଅନ୍ୟ ପଟେ ବସ୍ତି ଅଞ୍ଚଳରେ ଲୋକେ ପୋକ ମାଛି ସଦୃଶ ରହିବାକୁ ବାଧ୍ୟ ହେଉଛନ୍ତି । ବେକାରୀ ସମସ୍ୟା ଏତେ ବୃଦ୍ଧି ପାଇଛି ଯେ ଶିକ୍ଷିତ ଯୁବକ ଯୁବତୀ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।
ଆମର ପ୍ରଥମ କର୍ତ୍ତବ୍ୟ ପ୍ରତ୍ୟେକ ୱାର୍ଡରେ କଂଗ୍ରେସକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା । ଆଗାମୀ ମହାନଗର ନିର୍ବାଚନରେ ସମସ୍ତ ୱାର୍ଡରେ କର୍ପୋରେଟର ନିର୍ବାଚନ ଲଢ଼ିବା ସହ ମେୟର ପାଇଁ ଶକ୍ତିଶାଳୀ ପ୍ରାର୍ଥୀ ଦେଇ ନିର୍ବାଚନ ରଣାଙ୍ଗନରେ ଜୋରଦାର ଲଢେଇ କରି କଂଗ୍ରେସ ଜୟଯୁକ୍ତ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା