ସମ୍ବଲପୁର, ୩୦ ସେପ୍ଟେମ୍ବର (ହି.ସ.)- ମଙ୍ଗଳବାର ଦିନ ୧୨ଟା ସୁଦ୍ଧା ୮ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି । ଫଳରେ ଏବେ ମୋଟ୍ ୯ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି । ଜଳଭଣ୍ଡାରର ବାମ ପାଶ୍ୱର୍ ଡାଇକ୍ ର ୬ଟି ଓ ଡାହାଣ ପାଶ୍ୱର୍ ଡାଇକ୍ ର ୩ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି ।
ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ଜଳଭଣ୍ଡାରର ଜଳ ପତନ ୬୩୦.୦୦ ଫୁଟ୍ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୨ ହଜାର ୯୮୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୯ଟି ସ୍ଲୁଇସ୍ ଗେଟ୍, ସ୍ପିଲୱେ ଓ ପାୱାର ଚେନେଲ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୨ ହଜାର ୧୫୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରର ଜଳ ପତନ ଉପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଶେଷଜ୍ଞ ମାନେ ତୀକ୍ଷ୍ନ ଦୃଷ୍ଟି ରଖିଛନ୍ତି ।
ଅନ୍ୟପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଜଳଭଣ୍ଡାରର ଉପର ମୁଣ୍ଡରେ ୦.୨୫ ମି.ମି. ବର୍ଷା ରେକର୍ଡ଼ ହୋଇଥିବା ବେଳେ ତଳ ମୁଣ୍ଡରେ ୦.୭୭ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ