

ସମ୍ବଲପୁର, ୦୧, ଜାନୁଆରୀ (ହି.ସ.) - ଯାଜପୁର ଜିଲ୍ଲା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ହଲରେ ଆୟୋଜିତ ଅସ୍ମିତା ଖେଲୋ ଇଣ୍ଡିଆରେ ସମ୍ବଲପୁର କିକ୍ ବକ୍ସିଂ ବାଳିକା ଦଳର ସଫଳତାକୁ ନେଇ ଗୁରୁବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସମ୍ପାଦକ ତଥା ପ୍ରଶିକ୍ଷଣ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୨୦୨୬ ନୂତନ ବର୍ଷକୁ ଆସୋସିଏସନ ପକ୍ଷରୁ ସ୍ୱାଗତ କରାଯିବା ଖେଲୋଇଣ୍ଡିଆ ପ୍ରତିଯୋଗିତାରେ ଖେଳ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରତିଯୋଗିତାରେ ସର୍ମିଲ ସାହୁ ଲାଇଟ କଂଟ୍ରାକ୍ଟରେ ସ୍ୱର୍ଣ୍ଣ ଏବଂ ପଏଂଟ ଫାଇଟରେ କାଂସ୍ୟ, ଚାନ୍ଦନୀ ସାହାଣୀ ଲାଇଟ କଂଟ୍ରାକ୍ଟରେ ରୌପ୍ୟ ଏବଂ ପଏଂଟ ଫାଇଟରେ କାଂସ୍ୟ, ଶିବାଂଶୀ ତ୍ରୀପାଠୀ ପଏଣ୍ଟ ଫାଇଟ, ଲାଇଟ କଂଟ୍ରାକ୍ଟ ଏବଂ ଅସ୍ତ୍ର ଚାଳନାରେ ୪ କାଂସ୍ୟ, ସାଇସୃଷ୍ଟୀ ପଏଂଟ କଂଟ୍ରାକ୍ଟରେ କାଂସ୍ୟ, ଶ୍ରେୟାଂଶୀ ତ୍ରୀପାଠୀ ଅସ୍ତ୍ର ଚାଳନାରେ କାଂସ୍ୟ ପଦକ ହାସିଲ କରିଥିଲେ । ତେବେ ଯେଉଁ ପ୍ରତିଯୋଗୀ ମାନେ ପଦକ ହାସିଲ କରିପାରିନାହାନ୍ତି ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ କୋଚ ପରାମର୍ଶ ଦେଇଥିଲେ । ଭିତିଭୂମି ଅଭାବରୁ ସମ୍ବଲପୁରରେ ଅଧିକ କିକବକ୍ସିଂ ପ୍ରତିଯୋଗୀ ବାହାରି ପାରୁନଥିବା ବୈଠକରେ ମତ ପ୍ରକାଶ ପାଇଥିଲା । ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ କିକବକ୍ସିଂ ଅଭ୍ୟାସ ପାଇଁ ସୁଯୋଗ ଦେଇଥିବାରୁ ପ୍ରଶାସନ ଏବଂ ପଶ୍ଚିମାଂଚଲ ଏକା ମଂଚକୁ ସମ୍ପାଦକ ସୁବ୍ରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ