

ପୁରୀ, ୧ ଜାନୁଆରୀ (ହି.ସ.)- ଇଂରାଜୀ ନୂଆବର୍ଷ ୨୦୨୬ ଉପଲେକ୍ଷ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ଖୁସିବ୍ୟକ୍ତ କରିଛନ୍ତି । ବର୍ଷ ଆରମ୍ଭରୁ ଭଲରେ କଟିବା ପାଇଁ ଆଶିଷ କାମନା କରିଛନ୍ତି ଭକ୍ତ । ରାତି ୨ଟାରୁ ଶ୍ରୀମନ୍ଦିର ଖୋଲାଯାଇ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । କଡା ସୁରକ୍ଷା ବଳୟରେ ଶ୍ରୀମନ୍ଦିର ଭିତର ଓ ବାହାର ରହିଥିଲା । ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ ମାନେ ବଗଲା ଧର୍ମଶାଳା ଠାରୁ ବ୍ଯାରିକେଡ ଭିତରେ ଯାଇ ସିଂହଦ୍ଵାର ଦେଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଭକ୍ତ ମାନେ ବଡଦାଣ୍ଡ ମଝିରେ ବ୍ଯାରିକେଡ ମଧ୍ୟରେ ଯାଉଥିବାବେଳେ ୱାନ ୱେ ଟ୍ରାଫିକ ପରି ଅନ୍ଯ ଭକ୍ତ ମାନେ ସାଇଡରେ ଯାଉଥିଲେ । ସିଂହଦ୍ଵାର ଦ୍ବାରରେ ପ୍ରବେଶ କରି ଉତ୍ତରଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାରରେ ପ୍ରସ୍ଥାନ କରୁଥିଲେ । ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଥିଲା । ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବ୍ଯବସ୍ଥା ଚାଲୁ ରହିଥିଲା । ପୁରୀ ଏସପି ପ୍ରତୀକ ସିଂଙ୍କ ପ୍ରତେକ୍ଷ୍ଯ ତତ୍ତ୍ବାବଧାନରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଅତିସୁନ୍ଦର ଭାବେ ଟ୍ରାଫିକ ସୁପରିଚାଳନା କରାଯାଇଥିଲା । ଭିଡ ନିୟନ୍ତ୍ରଣ ଓ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଥିଲା । ୩୪୪ଟି ଗୁପ୍ତ ଗୁଇନ୍ଦା କ୍ଯାମେରା ଭକ୍ତ ଓ ସହରରେ ପ୍ରବେଶ କରୁଥିବା ବ୍ଯକ୍ତି ମାନଙ୍କ ଉପରେ ନଜର ରଖିଥିଲା । ମନ୍ଦିର ଭିତରେ ପୋଲିସ ପକ୍ଷରୁ ମାନବଶୃଙ୍ଖଳ କରାଯାଇଥିଲା । ବ୍ଯାରିକେଡ ନିକଟରେ ପାନୀୟଜଳ, ସିଲିଂ ଫ୍ଯାନ ଓ ଶୌଚାଳୟର ସୁବିଧା କରାଯାଇଥିଲା । ନୂଆବର୍ଷ ପାଇଁ ପୁରୀ ବେଳାଭୂମି ମଧ୍ୟ ଲୋକାରଣ୍ୟ ହୋଇପଡିଥିଲା । ଭକ୍ତ ଓ ପର୍ଯ୍ୟଟକ ମାନେ ସମୁଦ୍ରର ଅପୂର୍ବ ଦୃଶ୍ଯକୁ ଉପଭୋଗ କରୁଥିଲେ । ସମୁଦ୍ରକୂଳେ ନୂଆବର୍ଷ ର ନୂଆ ସକାଳରେ ସୂର୍ଯ୍ଯଙ୍କ ପହିଲି କିରଣକୁ ପର୍ଯ୍ୟଟକ ଓ ଭକ୍ତ ମାନେ ଦର୍ଶନ କରିଥିଲେ । ଗାଡି ପାର୍କିଙ୍ଗ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ଟ୍ରେନ, ବସ ଓ ବାଇକରେ ଆସି ବଡଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ଓ ସମୁଦ୍ର ସ୍ନାନ ଓ ସମୁଦ୍ରଦୃଶ୍ଯ ଉପଭୋଗ କରି ସୁଖଦ ଅନୁଭୂତି ନେଇ ଫେରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ