
ସ୍ୱାମୀଜୀ ରାଷ୍ଟ୍ର ନିର୍ମାଣର ଆଧାର ଓ ଚାରିତ୍ରିକ ମୂଲ୍ୟବୋଧର ପ୍ରତୀକ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 12 ଜାନୁଆରୀ (ହି.ସ.) ଆଜି ଉତ୍କଳ ବିଶ୍ୱ ବିଦ୍ୟାଳୟ ବାଣୀବିହାର ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଲିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ସ୍ୱାମୀଜୀଙ୍କୁ ରାଷ୍ଟ୍ର ନିର୍ମାଣର ଆଧାର ଓ ଚାରିତ୍ରିକ ମୂଲ୍ୟବୋଧର ଆଧାର ବୋଲି କହିଥିଲେ ।
ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ କିପରି ଯୁବସମାଜକୁ ପ୍ରେରଣା ପ୍ରଦାନ କରୁଛି, ସେ ବିଷୟରେ କହିବାକୁଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ଵାମୀ ବିବେକାନନ୍ଦ ଭାରତର ଯୁବ ସମାଜ ପାଇଁ ଅସୀମ ପ୍ରେରଣାର ଉତ୍ସ । ଯୁବବର୍ଗ ପ୍ରତି ତାଙ୍କର ଅତୁଟ ଭରସା ଥିଲା ଏବଂ ସେ ସବୁବେଳେ କହୁଥିଲେ ଯେ, ଯୁବ ସମାଜ ହିଁ ଭାରତର ଭାଗ୍ୟ ପରିବର୍ତ୍ତନ କରିପାରିବ।
ସ୍ୱାମୀଜୀଙ୍କ ପ୍ରଦତ୍ତ ଶିକ୍ଷା କହିଲେ ‘କେବଳ ଯଥାର୍ଥ ଜ୍ଞାନ ଅର୍ଜନ, କିମ୍ୱା ପୋଥିଗତ ବିଦ୍ୟା ନୁହେଁ।’ ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା, ଶୃଙ୍ଖଳା ଓ ଆତ୍ମବିଶ୍ୱାସକୁ ସେ ଶିକ୍ଷାର ମୂଳମନ୍ତ୍ର ବୋଲି କହୁଥିଲେ। ପାଶ୍ଚାତ୍ୟ ବିଜ୍ଞାନ ସହ ବେଦାନ୍ତର ସମନ୍ୱୟକୁ ସେ ଗୁରୁତ୍ୱ ଭାବେ ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ଆହୁରି କହିଥିଲେ ଯେ, ଯୁବ ସଶକ୍ତିକରଣ ପାଇଁ ଶିକ୍ଷା ସହିତ ସରକାର ବିଭିନ୍ନ ଯୁବ ସେବାମୂଳକ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ପ୍ରଶିକ୍ଷଣ, ଦକ୍ଷତା ବୃଦ୍ଧି, ଖେଳକୁଦରେ ଉତ୍କର୍ଷତା ଓ ସାଂସ୍କୃତିକ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଅନେକ ଯୋଜନା ରୂପାୟଣ କରାଯାଇଛି। ଆଜି ଓଡ଼ିଶା ଦେଶର ‘ଖେଳ ରାଜଧାନୀ’ ଭାବେ ପରିଚିତ ।
ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ଓଡ଼ିଶାର ଯୁବବର୍ଗ ଆଜି ବିଶ୍ୱସ୍ତରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି ଓ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫିଟ ଇଣ୍ଡିଆ ମିଶନ ଏକ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହେବା ସହ ପ୍ରତ୍ୟେକ ଭାରତୀୟଙ୍କୁ ସୁସ୍ଥ ଓ ସଫଳ ଜୀବନଶୈଳୀ ନିମନ୍ତେ ଅନୁପ୍ରାଣିତ କରୁଛି ।
ଏହି କାର୍ଯ୍ୟକ୍ରମ ଅବସରରେ ବିଧାୟକ ଏକାମ୍ର ଭୁବବେଶ୍ୱର ଶ୍ରୀ ବାବୁ ସିଂ, କୂଳପତି ଉତ୍କଳ ବିଶ୍ୱବିଦ୍ୟାଳୟ ଡଃ ଯଜ୍ଞେଶ୍ୱର ଦଣ୍ଡପାଟ, ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସଚିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶ୍ରୀ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ