


ସମ୍ବଲପୁର, ୧୨ ଜାନୁଆରୀ (ହି.ସ.)- ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରି, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶଶାଙ୍କ ବିଉରା, ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡାଙ୍କ ସମେତ ପ୍ରମୁଖ ବିଭାଗୀୟ ଅଧିକାରୀ, ସମସ୍ତ ସ୍କୁଲ ଓ କଲେଜ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସମାଜସେବୀ, ଶିକ୍ଷାବିତ, ଗଣମାଧ୍ୟମ ପ୍ରତିନିଧି, ସ୍ଵେଛାସେବୀ ଅନୁଷ୍ଠାନ ର କର୍ମଚାରୀ ଉପସ୍ଥିତ ରହି ଚଳିତ ବର୍ଷ ଜାତୀୟ ଦିବସଟି କିପରି ମହା ସମାରୋହରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯିବ ସେହି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳ ୫ଟା ସମୟରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ରାମଧୂନ ପରିବେଷଣ କରାଯିବ। ପରେ ସହରରେ ବିଭିନ୍ନ ସ୍ଥାନରେ ଥିବା ବୀରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପୂର୍ବାହ୍ନ ୮ଟା ୩୦ ମିନଟ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ପୂର୍ବାହ୍ନ ୭ଟାରୁ ୭ଟା ୩୦ ସମୟ ମଧ୍ୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଜାତୀୟ ଦିବସଟି ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ। ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉକ୍ତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ। ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେ। ଏଥି ସକାଶେ ଜାନୁଆରୀ ମାସ ୨୧, ୨୨ ଏବଂ ୨୪ ତାରିଖ ଦିନ ରିଜର୍ଭ ଇନ୍ସପେକ୍ଟର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରିଜର୍ଭ ପୁଲିସ ଗ୍ରାଉନ୍ଡ ଠାରେ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ, ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମୁଖ୍ୟ ଉତ୍ସବର ଆୟୋଜିତ କାର୍ଯ୍ୟକ୍ରମ ଠାରେ ପୁରସ୍କାର ପ୍ରଦାନ କରାଯିବ । ଏଥିସହ ପ୍ୟାରେଡ ପଡିଆ ସାଜସଜ୍ଜା, ବ୍ୟାରିକେଡ଼ ନିର୍ମାଣ, ଶାନ୍ତିଶୃଙ୍ଖଳାରକ୍ଷା, ପାନୀୟଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ଅସ୍ଥାୟୀଶିବିର ବ୍ୟବସ୍ଥା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା ।
କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ସମ୍ବଲପୁର ମଣ୍ଡଳ କାରାଗାର, ନାରୀବନ୍ଦି ନିକେତନ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୁର୍ଗାପାଲି ସ୍ଥିତ ଦୟାମଣି ଜରା ନିବାସର ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ଯ ବଣ୍ଟନ, ଓଡିଶା ସାଂସ୍କୃତିକ ସମାଜ ସଭା ଗୃହରେ ଉତ୍ସର୍ଗ ଆନୁକୁଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଯୋଗଦେବେ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୁକ୍ତା କୁଲୁ ସଭା ପରିଚାଳନା କରିବା ସହିତ ପ୍ରାରମ୍ଭରେ ସ୍ଵାଗତ ଭାଷଣ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ