
ଭୁବନେଶ୍ୱର, 12 ଜାନୁଆରୀ
(ହି.ସ.): ଜାତୀୟ ତଥା
ରାଜ୍ୟସ୍ତରୀୟ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାରଙ୍କ
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ଏକ ଉଚ୍ଚସ୍ତରୀୟ
ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି
ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ 'ଜଙ୍ଗଲ ଜମି ବ୍ୟବହାର ପରିବର୍ତ୍ତନ' ପ୍ରସ୍ତାବଗୁଡ଼ିକର ଶୀଘ୍ର ଅନୁମୋଦନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ବିଶେଷ କରି 'ପ୍ରଗତି'
ଏବଂ 'ପି.ଏମ୍.ଜି'
ଅଧୀନରେ ଥିବା
ପ୍ରକଳ୍ପଗୁଡ଼ିକରେ ଯେପରି କୌଣସି ପ୍ରକ୍ରିୟାଗତ ବିଳମ୍ବ ନହୁଏ, ତାହା ନିଶ୍ଚିତ କରିବା ଏହି ସମୀକ୍ଷାର ମୂଳ ଲକ୍ଷ୍ୟ ଥିଲା।
ଏହି ବୈଠକରେ
ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚାଲିଥିବା ବୃହତ ପ୍ରକଳ୍ପଗୁଡ଼ିକର ଅଗ୍ରଗତି
ସମ୍ପର୍କରେ ସବିଶେଷ ସମୀକ୍ଷା କରାଯାଇଥିଲା। ଏଥିରେ ବିଏସଏନଏଲ ଏବଂ ଆରଜେଆଇଏଲ ଦ୍ୱାରା ପରିଚାଳିତ 4G ସାଚୁରେସନ୍ ପ୍ରକଳ୍ପ ସମେତ ଭାରତୀୟ ରେଳବାଇ, ଏନଏଚଏଆଇ ଏବଂ ଓପିଟିସିଏଲ ଦ୍ୱାରା ପରିଚାଳିତ ଗୁରୁତ୍ୱପୂର୍ଣ୍ଣ
ପରିବହନ ଓ ଶକ୍ତି ଭିତ୍ତିଭୂମି ଉପରେ ଆଲୋଚନା ହୋଇଥିଲା। ଏହାବ୍ୟତୀତ ପ୍ରମୁଖ ଶାସନ ସଚିବ ଟାଟା
ଷ୍ଟିଲ୍, ରୁଙ୍ଗଟା ମାଇନ୍ସ,
ଡାଲମିଆ ସିମେଣ୍ଟ, ମୁନ୍ଦ୍ରା ଆଲୁମିନା,
ବେଦାନ୍ତ, କାଶ୍ଭୀ ପାୱାର ଆଣ୍ଡ ଷ୍ଟିଲ୍, ଟ୍ରଷ୍ଟଲାଇନ୍ ମାଇନିଂ,
ଭୂଷଣ ପାୱାର ଏବଂ କୁନ୍ଦନ
ଗୋଲ୍ଡମାଇନ୍ସ ଭଳି ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକର ଖଣିଜ ଓ ଶିଳ୍ପ ପ୍ରକଳ୍ପର ସ୍ଥିତି ସମ୍ପର୍କରେ
ମଧ୍ୟ ସମୀକ୍ଷା କରିଥିଲେ।
ଗତ ମାସ ମଧ୍ୟରେ
ଏହି ପ୍ରକଳ୍ପଗୁଡ଼ିକ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ପ୍ରମୁଖ ଶାସନ ସଚିବ ସ୍ୱୀକାର କରିବା ସହ
ବାକି ରହିଥିବା କାର୍ଯ୍ୟଗୁଡ଼ିକୁ ସମାପ୍ତ କରିବା ପାଇଁ ଏକ ସ୍ପଷ୍ଟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ
କରିଥିଲେ। ସେ ଏଫ୍.ସି.ଏ ନୋଡାଲ ଅଫିସର,
ଆଞ୍ଚଳିକ ମୁଖ୍ୟ ବନ
ସଂରକ୍ଷକ, ବନଖଣ୍ଡ ଅଧିକାରୀ ଏବଂ ବ୍ୟବହାରକାରୀ ସଂସ୍ଥାଗୁଡ଼ିକୁ ସମୟସୀମା
ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଜଙ୍ଗଲ ଜମି ପରିବର୍ତ୍ତନ
ପ୍ରସ୍ତାବଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବହାରକାରୀ ସଂସ୍ଥାଗୁଡ଼ିକୁ ଆବେଦନ
ପ୍ରକ୍ରିୟାରେ ସଠିକ୍ ମାର୍ଗଦର୍ଶନ କରିବା ଏବଂ କ୍ଷତିପୂରଣମୂଳକ ବନୀକରଣ ପାଇଁ ନିର୍ଦ୍ଧାରିତ
ସମୟ ମଧ୍ୟରେ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଭର୍ଚୁଆଲ୍ ମାଧ୍ୟମରେ
ଅନୁଷ୍ଠିତ ଏହି ବୈଠକ ଓଡ଼ିଶାରେ ପରିବେଶ ଶାସନ ପ୍ରକ୍ରିୟାକୁ ସରଳ ଓ ବ୍ୟବସ୍ଥିତ କରିବା ଦିଗରେ
ଏକ ମିଳିତ ପ୍ରୟାସ ବୋଲି ସେ ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ