
ଖୋର୍ଦ୍ଧା,୧୨ ଜାନୁଆରି (ହି.ସ.) - ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅଧୀନ ପୂର୍ବାହ୍ନରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଓଳସିଂହ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଜନଶୁଣାଣି ଶିବିରରେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଅନାଦି ଚରଣ ସେଠୀ , ବି ଡି ଓ, ଟାଙ୍ଗୀ ରୂମାନା ଯାଫ୍ରୀ, ତହସିଲଦାର, ଟାଙ୍ଗୀ, ମିଷ୍ଠା ମହାପାତ୍ର , ପ୍ରମୁଖ ମଂଚାସିନ ଥିଲେ । ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ କହିଲେ ଯେ ଜନ ଶୁଣାଣି କାର୍ଯ୍ୟକ୍ରମ ସୁଶାସନ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ, ଏଣୁ ପ୍ରତ୍ୟେକ ଅଧିକାରୀ ନିଜ କାର୍ଯ୍ୟାଳୟ ଅଧୀନ କୌଣସି ଅଭିଯୋଗର ସମାଧାନକୁ ସ୍ଥଗିତ ନ ରଖିବାକୁ ନିର୍ଦେଶ ଦେଇଥିଲେ । ସମସ୍ତ ଅଭିଯୋଗ ଗୁଡ଼ିକୁ ସରକାରଙ୍କର ଏବଂ ଜିଲ୍ଲା ପ୍ରଶାସନ ନିୟମାନୁସାରେ ସେଗୁଡିକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୨୫୭ଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୨୩୬ଟି ଏବଂ ଗ୍ରାମୀଣ ସମସ୍ୟା ଜନିତ ୨୧ଟି ଅଭିଯୋଗ ଆସିଥିଲା । ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତତ୍କାଳ ୧୧ଟି ଅଭିଯୋଗର ସମାଧାନ କରିଥିବାବେଳେ ଅନ୍ୟ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଯଥାଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଶୁଣାଣି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ଆସିଷ୍ଟାଂଟ କଲେକ୍ଟର, ଅଭିଯୋଗ ଭୁବନେଶ୍ୱରୀ କଅଁର, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ