
କାର୍ଯ୍ୟର ଗୁଣବତ୍ତା ଏବଂ ଶୀଘ୍ର ସମାପ୍ତି ଉପରେ ଗୁରୁତ୍ୱ
ଆଧୁନିକ ସାମଗ୍ରୀର ବ୍ୟବହାର ନେଇ ଆଲୋଚନା
ଭୁବନେଶ୍ୱର, 12 ଜାନୁଆରୀ (ହି.ସ.) ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ନେତୃତ୍ୱ ବଳରେ ବର୍ତ୍ତମାନ ରାଜ୍ୟର ବିକାଶକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ନିୟମିତ ନିଯୁକ୍ତି ପ୍ରକ୍ରିୟା ଫଳରେ ବିଭାଗରେ ଦକ୍ଷ ଇଂଜିନିୟରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ଉନ୍ନତ ମାନର ନିର୍ମାଣ ସାମଗ୍ରୀ ବ୍ୟବହାର ଏବଂ ଏହାର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ଜରୁରୀ । ଫଳରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ରାସ୍ତା ଓ କୋଠା ନିର୍ମାଣ ସମ୍ଭବ ହୋଇପାରିବ ବୋଲି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
ଆଜି ଅପରାହରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ରାସ୍ତା, କୋଠାବାଡ଼ି ଆଦିରେ ବ୍ୟବହୃତ ଇଟା, ବାଲି, ଗୋଡ଼ି ସମେତ ବିଭିନ୍ନ ଇନ୍-ଡୋର ଓ ଆଉଟ୍-ଡୋର ସାମଗ୍ରୀ, ବିଲ୍ଡିଂ ସାମଗ୍ରୀ, ପ୍ରି-ଫାବିକ୍ରେଟେଡ୍ ନିର୍ମାଣ ସାମଗ୍ରୀ, ରାସ୍ତା ଓ କୋଠାବାଡ଼ିରେ ବ୍ୟବହୃତ ବିିଭିନ୍ନ ସାମଗ୍ରୀର ସଠିକ୍ ମୂଲ୍ୟ ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା । ଗୁଣବତ୍ତାଯୁକ୍ତ ସାମଗ୍ରୀର ବ୍ୟବହାର ଏବଂ ଏହାର ସଠିକ ମୂଲ୍ୟ ନିର୍ଦ୍ଧାରଣ ଦ୍ୱାରା ଭିତ୍ତିଭୂମିର ସ୍ଥାୟିତ୍ୱ ବୃଦ୍ଧି ପାଇବା ସହିତ ନିର୍ମାଣଜନିତ ଖର୍ଚ୍ଚ କମ୍ ହୋଇପାରିବ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା ।
ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭିତ୍ତିଭୂମି ନିର୍ମାଣରେ ବ୍ୟହୃତ ସାମଗ୍ରୀର ମାନକୁ ଗୁରୁତ୍ୱ ଦେବା ସହ ଜାରି ରହିଥିବା ନିର୍ମାଣ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଇଂଜିନିୟରମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୟଦେବ ବିହାର - ନନ୍ଦନକାନନ ରୋଡ୍ ଏବଂ ଫ୍ଲାଏ ଓଭର ଏବଂ ନୂଆ ଲୋକସେବା ଭବନ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା । ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୈଠକରେ ପରାମର୍ଶ ଦେଇଥିଲେ ।
ବୈଠକରେ ଇଆଇସି ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ଲକ୍ଷ୍ମୀକାନ୍ତ ପାଢ଼ୀ, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂ ସମୀର ହୋତା, ଇଆଇସି ରୋଡ୍ସ - ୧ ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟ ଯନ୍ତ୍ରୀ ବିଲଡିଂ -୧ ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟଯନ୍ତ୍ରୀ ଏନ.ଏଚ ଇଂ ନାରାୟଣ ପଟେଲ୍ଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ