
ଭୋପାଲ, 13 ଜାନୁଆରି (ହି.ସ.)- ମଧ୍ୟପ୍ରଦେଶର
ଉଜ୍ଜୈନରେ ପ୍ରଥମ ଥର ପାଇଁ ମହାକାଳ ମହୋତ୍ସବର ଆୟୋଜନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଡ଼.
ମୋହନ ଯାଦବ ବୁଧବାର ଏହି ମହୋତ୍ସବର ଶୁଭାରମ୍ଭ କରିବେ।
ବିଶ୍ୱପ୍ରସିଦ୍ଧ
ଜ୍ୟୋତିର୍ଲିଙ୍ଗ ଭଗବାନ ବାବା ମହାକାଳଙ୍କ ନଗରୀ ଉଜ୍ଜୈନ ପୁଣିଥରେ ଭାରତୀୟ ସଂସ୍କୃତି,
କଳା ଓ ଅତୁଟ ଶ୍ରଦ୍ଧାର ଏକ ମହୋତ୍ସବର ସାକ୍ଷୀ ହେବାକୁ ଯାଉଛି।
ଏଠାରେ ପ୍ରଥମ ଥର ପାଇଁ ଶ୍ରୀ ମହାକାଳ ମହୋତ୍ସବର ଆୟୋଜନ କରାଯିବ। ମୁଖ୍ୟମନ୍ତ୍ରୀ ୧୪ ଜାନୁଆରୀ
ସନ୍ଧ୍ୟା ୭ଟାରେ ଶ୍ରୀ ମହାକାଳ ମହାଲୋକରେ ଏହି ପାଞ୍ଚ ଦିନିଆ ‘ମହୋତ୍ସବ’ର ଉଦ୍ଘାଟନ କରିବେ।
ମୁଖ୍ୟମନ୍ତ୍ରୀଙ୍କ
ସଂସ୍କୃତି ପରାମର୍ଶଦାତା ଏବଂ ବୀର ଭାରତ ନ୍ୟାସର ନ୍ୟାସୀ ସଚିବ ଶ୍ରୀରାମ ତିୱାରୀ ମଙ୍ଗଳବାର
ସୂଚନା ଦେଇଛନ୍ତି ଯେ ମହୋତ୍ସବର ପ୍ରମୁଖ ସଭାଗୁଡ଼ିକରେ ଦେଶର ପ୍ରସିଦ୍ଧ କଳାକାରମାନେ ନିଜ ଶ୍ରତିୁମଧୁର
ସ୍ୱର-ଲହରୀ ମାଧ୍ୟମରେ ଭଗବାନ ଶିବଙ୍କ ଆରାଧନା କରିବେ। ଏଥିରେ ୧୪ ଜାନୁଆରୀରେ,
ମହୋତ୍ସବର ପ୍ରଥମ ଦିନ, ପ୍ରସିଦ୍ଧ ପାର୍ଶ୍ୱଗାୟକ ଶଙ୍କର ମହାଦେବନ ନିଜ ପୁଅମାନେ ସିଦ୍ଧାର୍ଥ
ଓ ଶିବମଙ୍କ ସହିତ ‘ଶିବୋଽହମ୍’ର
ସଙ୍ଗୀତମୟ ପ୍ରସ୍ତୁତି ଦେବେ।
ମହାକାଳଙ୍କ ନଗରୀରେ
ସଙ୍ଗୀତ,
ନୃତ୍ୟ, ନାଟ୍ୟ ଓ ଲୋକ ପରମ୍ପରାର ଏହି ସମାଗମ ଦେଶ ଓ ବିଶ୍ୱର ସାଂସ୍କୃତିକ
ମାନଚିତ୍ରରେ ଉଜ୍ଜୈନକୁ ଏକ ନୂଆ ଉଚ୍ଚତା ପ୍ରଦାନ କରିବ।
ସେ କହିଛନ୍ତି ଯେ
ଉଜ୍ଜୟିନୀ—ଯେଉଁଠାରେ କାଳ ସ୍ୱୟଂ ନତମସ୍ତକ ହୁଏ ଏବଂ ଆସ୍ଥା ଅନାଦିରୁ ଅନନ୍ତ
ଦିଗକୁ ପ୍ରବାହିତ ହୁଏ—ସେହି ପବିତ୍ର ନଗରୀରେ ୧୪ରୁ ୧୮ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ‘ଭାରତବର୍ଷର ସ୍ୱାଭିମାନ ପର୍ବ’ ଅନ୍ତର୍ଗତ ଆୟୋଜିତ ହେବାକୁ ଯାଉଥିବା ଶ୍ରୀମହାକାଳ ମହୋତ୍ସବ କେବଳ ଏକ
ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଭାରତବର୍ଷର ସ୍ୱାଭିମାନର ଉତ୍ସବ। ଏହି ମହୋତ୍ସବ ଶିବ ଚେତନା,
ଲୋକ ପରମ୍ପରା ଓ ବିଶ୍ୱବ୍ୟାପୀ ସାଂସ୍କୃତିକ ସଂଲାପର ଏକ ଅଦ୍ଭୁତ
ସମନ୍ୱୟ ପ୍ରଦର୍ଶନ କରିବ।
ଏହି ଅବସରରେ ଶ୍ରୀ
ମହାକାଳେଶ୍ୱର ମନ୍ଦିର ପ୍ରବନ୍ଧନ ସମିତିର ପୁନଃସଂଯୋଜିତ ୱେବସାଇଟର ଲୋକାର୍ପଣ ଏବଂ ‘ମହାକାଳ ସୃଷ୍ଟିର ସମୟ’ ନାମକ ୟୁଟ୍ୟୁବ ସିରିଜର ଶୁଭାରମ୍ଭ ମଧ୍ୟ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା