
ସୁକମା, 14 ଜାନୁଆରି (ହି.ସ.)- ଛତିଶଗଡ଼ର ସୁକମା ଜିଲ୍ଲାର ଗୋଗୁଣ୍ଡାରେ ବୁଧବାର ୨୯ ଜଣ ନକ୍ସଲ ଏକାସାଥିରେ
ଆତ୍ମସମର୍ପଣ କରିଛନ୍ତି। ସେମାନେ ସମସ୍ତେ ଦର୍ଭା ଡିଭିଜନର ଆର୍ମ୍ଡ କ୍ୟାଡର ସହିତ ସଂପୃକ୍ତ
ନକ୍ସଲ ଥିଲେ।
ସୁକମାର ପୁଲିସ ଅଧୀକ୍ଷକ କିରଣ ଚ୍ୱୌହାନ କହିଛନ୍ତି ଯେ ନକ୍ସଲମାନେ ୧୦ଟି ଆଧୁନିକ ଅସ୍ତ୍ର
ମଧ୍ୟ ଜମା କରିଛନ୍ତି, ଯାହା ମଧ୍ୟରେ ୩ଟି ଏକେ–୪୭,
୧ଟି
ଏସ୍ଏଲ୍ଆର୍, ୩ଟି ଇନସାସ, ୨ଟି .୩୦୩ ରାଇଫଲ୍ ଏବଂ ୧ଟି .୩୦
କାର୍ବାଇନ୍ ରାଇଫଲ୍ ଅନ୍ତର୍ଭୁକ୍ତ ଅଛି। ସୁକ୍ମାର ଗୋଗୁଣ୍ଡାରେ ଏହା ଏହି ବର୍ଷର ସବୁଠାରୁ ବଡ଼
ନକ୍ସଲ ଆତ୍ମସମର୍ପଣ ଘଟଣା ଅଟେ।
ପୁଲିସ ଅଧୀକ୍ଷକ କହିଛନ୍ତି ଯେ ଗୋଗୁଣ୍ଡାରେ ସୁରକ୍ଷା କ୍ୟାମ୍ପ ସ୍ଥାପନା ହେବାରୁ ଅଞ୍ଚଳରେ
ସ୍ଥାୟୀ ସୁରକ୍ଷା ଏବଂ ବିକାଶର ପରିବେଶ ସୃଷ୍ଟି ହୋଇଛି। ଲଗାତାର ଚାପ ଏବଂ ସରକାରଙ୍କ ‘ପୁନା ମାର୍ଗେମ୍’
ନୀତିର
ପରିଣାମ ସ୍ୱରୂପ ନକ୍ସଲମାନେ ମୁଖ୍ୟଧାରାକୁ ଫେରୁଛନ୍ତି। ସେ ଅବଶିଷ୍ଟ ସକ୍ରିୟ ନକ୍ସଲମାନଙ୍କୁ
ଆହ୍ୱାନ କରି କହିଛନ୍ତି ଯେ ଏବେ ସେମାନଙ୍କ ପାଖରେ କେବଳ ଗୋଟିଏ ବିକଳ୍ପ ରହିଛି—ହିଂସା ଛାଡ଼ନ୍ତୁ ଏବଂ ‘ପୁନା ମାର୍ଗେମ୍’
ପୁନର୍ବାସ
ଅଭିଯାନର ଅଂଶ ହୋଇ ସମ୍ମାନଜନକ ଜୀବନର ଆରମ୍ଭ କରନ୍ତୁ।
କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍)ର ୭୪ତମ ବାହିନୀର କମାଣ୍ଡାଣ୍ଟ ହିମାଂଶୁ
ପାଣ୍ଡେ କହିଛନ୍ତି ଯେ ସରକାରଙ୍କ ସୁରକ୍ଷା, ବିଶ୍ୱାସ ଏବଂ ବିକାଶର ସଂଯୁକ୍ତ ରଣନୀତି
ଦ୍ୱାରା ନକ୍ସଲବାଦର ଶେଷ ସମ୍ଭବ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା