
ଜୟପୁର, ୧୪ ଜାନୁଆରି (ହି.ସ.)- ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ‘ରନ୍ ଫର୍ ସ୍ୱଦେଶୀ’ ଆୟୋଜିତ ହୋଇଥିଲା ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନର ଲାଇଭ୍ ପ୍ରସାରଣ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଥିଲା ।
ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ସ୍ୱାମୀ ବିବେକାନନ୍ଦଙ୍କ ଫୋଟୋରେ ପୁଷ୍ପାଞ୍ଜଳି ଅର୍ପଣ କରି ‘ରନ୍ ଫର୍ ସ୍ୱଦେଶୀ’ର ଉଦଘାଟନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ପରିବାରକୁ ସମ୍ବୋଧନ କରିଥିଲେ। ତାଙ୍କ ଭାଷଣରେ ସେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶକୁ ଦୈନନ୍ଦିନ ଜୀବନରେ ଅନୁସରଣ ଓ ପ୍ରୟୋଗ କରିବାକୁ ଆହ୍ୱାନ କରିଥିଲେ। ସେ ସ୍ୱାମୀଜୀଙ୍କ କିଛି ପ୍ରସିଦ୍ଧ ଉଦ୍ଧୃତି ମଧ୍ୟ ପାଠ କରିଥିଲେ। କୁଳପତିଙ୍କ ନେତୃତ୍ୱରେ ନୂତନ ଏକାଡେମିକ୍ ବ୍ଲକ୍ ଠାରୁ ଏହି ଦୌଡ଼ ଆରମ୍ଭ ହୋଇଥିଲା, ଯେଉଁଥିରେ ଶିକ୍ଷକମାନେ ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଦୌଡ଼ ପରେ ବିଶ୍ୱବିଦ୍ୟାଳୟ ସମୁଦାୟ ‘ବିକସିତ ଭାରତ ଯୁବ ନେତୃତ୍ୱ’ ଉପରେ ମାନ୍ୟନୀୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନର ଲାଇଭ୍ ପ୍ରସାରଣ ଦେଖିଥିଲେ।
ଏହି ଅବସରରେ ଭାରପ୍ରାପ୍ତ କୁଳସଚିବ ଡା. ରାକେଶ କୁମାର ଲେଙ୍କା, ଅର୍ଥ ଅଧିକାରୀ ଦୁର୍ଯ୍ୟୋଧନ ସେଠୀ, ଅର୍ଥନୀତି ବିଭାଗର ମୁଖ୍ୟ ପ୍ରୋ. ରଥିକାନ୍ତ କୁମ୍ଭାର ସହିତ ଶିକ୍ଷକମାନେ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟିର ସମନ୍ୱୟ ଛାତ୍ର କଲ୍ୟାଣ ଡିନ୍ ଡା. ରମେନ୍ଦ୍ର କୁମାର ପାଢ଼ୀ ଓ ଡା. ଅଞ୍ଜନେୟୁଲ୍ଲୁ ଥୋଟାପଲ୍ଲୀ କରିଥିଲେ। ଲୋକସମ୍ପର୍କ ଅଧିକାରୀ ଡା. ଫଗୁନାଥ ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି