
ନୂଆପଡ଼ା, ୧୪ ଜାନୁଆରି (ହି.ସ.) - ହିନ୍ଦୁ ସମାଜକୁ ଏକତ୍ରିତ କରିବା ପାଇଁ ହିନ୍ଦୁ ସଂଗଠନ ବର୍ଷ ତମାମ୍ କିଛି ନା କିଛି ସାଂଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଆସୁଛନ୍ତି। ହିନ୍ଦୁଧର୍ମକୁ ସୁରକ୍ଷିତ ଓ ହିନ୍ଦୁ ମାନଙ୍କ ହୃଦୟରେ ହିନ୍ଦୁତ୍ୱ ଜାଗୃତ କରି ଭାରତ ମାତାଙ୍କ ମାନ ମର୍ଯ୍ୟାଦା ବୃଦ୍ଧି କରିବା ପାଇଁ ବିଭିନ୍ନ ମଣ୍ଡଳରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ କରାଯାଉଛି । ସେହିପରି ଆଜି ପବିତ୍ର ମକର ସଂକ୍ରାନ୍ତି ଦିନ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ଗ୍ରାମ ପଂଚାୟତ ଅନ୍ତର୍ଗତ ପତିଆଲପଡା ଗ୍ରାମରେ ସମଗ୍ର ହିନ୍ଦୁ ସମାଜ ନିଲଜୀ ମଣ୍ଡଳ ଆନୁକୁଲ୍ୟରେ ଶତାଧିକ ହିନ୍ଦୁ ମାନଙ୍କ ଉପସ୍ଥିତିରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ହିନ୍ଦୁ ମାନଙ୍କ ହୃଦୟରେ ପଂଚ ପରିବର୍ତନ ଆଣିବା ଏବଂ ମାନବିକ ମୂଲ୍ୟବୋଧକୁ ହୃଦୟଙ୍ଗମ କରି ମାନବ ସେବାରେ ନିଜକୁ ନିୟୋଜିତ କରିବା। ଉକ୍ତ ପଂଚ ପରିବର୍ତନ ହେଲା, ସାମାଜିକ ସମରସତା, ପର୍ଯ୍ୟାବରଣ ସଂରକ୍ଷଣ, କୁଟୁମ୍ବ ପ୍ରବୋଧନ, ସ୍ୱଆଧାରିତ ଜୀବନ ଓ ନାଗରିକ କର୍ତବ୍ୟବୋଧ ଅନ୍ୟତମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମହେଶ କୁମାର ତିୱାରୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବିଶିଷ୍ଟ ଅତିଥି ଭାବେ କାଳିଆକୃଷ୍ଣ ବାଗ (ହିନ୍ଦୁ ସଂଗଠକ) ଓ ଗରୁଡ଼େଶ୍ୱର ଗହୀର (ବିଭାଗ ସଂପର୍କ ପ୍ରମୁଖ ), ମୁଖ୍ୟବକ୍ତା ଭାବେ ସତ୍ୟବ୍ରତ ଗହୀର (ପ୍ରଧାନ ଶିକ୍ଷକ ନିଲଜୀ ଉ.ପ୍ରା. ବିଦ୍ୟାଳୟ), ସମ୍ମାନିତ ଅତିଥି ଭାବେ ପ୍ରଦୀପ କୁମାର ରାଉତରାୟ (ଶିକ୍ଷକ ରାମପୁର ଗୁମା ଉ.ପ୍ରା. ବିଦ୍ୟାଳୟ) ପ୍ରମୁଖ ମଂଚାସୀନ ରହିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରୋହିତାଶ୍ୱ ନାଏକ ( ହିନ୍ଦୁ ସଂଗଠକ)। ଶତାଧିକ ହିନ୍ଦୁ ଭାଇଭଉଣୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ