
ଜୟପୁର, ୧୪ ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ମସିଗାଁ ପାଂଚୟତର ବରୁଗୁଡା ଠାରେ ଥିବା ହୋମିଓପାଥି ମେଡିକାଲଟି ଜରାଜୀର୍ଣ୍ଣ ଅବସ୍ଥାରେ ପୋଡି ରହିଛି । ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ହୋମିଓପାଥି ସ୍ୱାସ୍ଥ୍ୟ କେନ୍ଦ୍ର । ଭଙ୍ଗା ଦଦରା ଘରେ ଚାଲିଛି ସ୍ୱାସ୍ଥ୍ୟ ସେବା । ଏପରିକି ଡାକ୍ତର ବସିବାକୁ ଜାଗା ଖଣ୍ଡିଏ ନ ଥିବାବେଳେ ଔଷଧ ମଧ୍ୟ ସୁରକ୍ଷିତ ହୋଇ ରହିପାରୁ ନାହିଁ। ଡାକ୍ତର ବାବୁଙ୍କ ରହିବାକୁ ଘର ନାହିଁ । ମେଡିକାଲ ଛାତ ଟିଣ ନଷ୍ଟ ହେଲାଣି । ଏବେ କଷ୍ଟେ ମଷ୍ଟେ ଚାଲୁଛି କିନ୍ତୁ ବର୍ଷା ଋତୁର କଥା ଆଉ ନ କହିବା ଭଲ । ଅଫିସ ଭିତରେ ଆଣ୍ଠୁଏ ବର୍ଷା ପାଣି ଭାରି ଯାଏ । ଝରକା କବାଟ ସମ୍ପୂର୍ଣ୍ଣ ନଷ୍ଟ ହେଲାଣି । ବାଉଁଶ ବାଡ଼ରେ ଝୋରକା କବାଟ ଲାଗିଛି । ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଘରେ ଚାଲିଛି ମେଡିକାଲ । ଏଭଳି ଜରାଜୀର୍ଣ୍ଣ ଅବସ୍ଥା ଦୁର୍ଗମ ପଂଚାୟତ ଲୋକଙ୍କୁ ନିରବିଛିନ୍ନ ରୋଗୀସେବା ମିଳିବାରେ ବ୍ୟତିକ୍ରମ ଦେଖାଦେଇଛି। କାରଣ ଏଠାକୁ ରୋଗୀ ଆସିବାକୁ ଅସୁରକ୍ଷିତ ମାନେ କରିଛନ୍ତି । ଏହି ମେଡିକାଲ ଘର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । କେତେବେଳେ ଯେ କଣ ଅଘଟନ ଘଟିବ ତାହା କହିବେବ ନାହିଁ । ରୋଗୀଙ୍କ ପାଇଁ ବସିବା ପାଇଁ ସ୍ଥାନ ନାହିଁ କି ଶୌଚାଳୟ ନାହିଁ । ଏଣୁ ଏଠାରେ ଅତିଶୀଘ୍ର ନୂତନ କୋଠା ନିର୍ମାଣ ପାଇଁ ଦାବୀ କରିଛନ୍ତି ଗ୍ରାମବାସୀ । ଆଭ୍ୟନ୍ତରୀଣ ଗ୍ରାମାଂଚଳ ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ସୁବିଧା ନିମନ୍ତେ ୪୪ ବର୍ଷ ପୂର୍ବେ ୧୯୮୨ ମସିହାରେ ତତ୍କାଳୀନ ଆର୍ଥ ଓ ଆଇନ ମନ୍ତ୍ରୀ ରଘୁନାଥ ପଟ୍ଟନାୟକଙ୍କ ଦ୍ୱାରା ଏହି ହୋମିଓପାଥି ମେଡିକାଲ ଉଦଘାଟନ ହୋଇଥିଲା । କାଳକ୍ରମେ ପୁରୁଣା ଘରଟି ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲା । ଏଥିଲାଗି ଏଠାରେ ୨୦୧୨ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭଗ ପକ୍ଷରୁ ୧୨ ଲକ୍ଷ ଟଙ୍କା ବ୍ୟୟରେ ନୂତନ କୋଠା ଆରମ୍ଭ ହେଲା କିନ୍ତୁ ଆଜି ପର୍ଯ୍ୟନ୍ତ ଅଧପନ୍ତରିଆ ଅବସ୍ଥା ପଡିରହିଲା ଘର ନିର୍ମାଣ । ବର୍ଷ ପରେ ବର୍ଷ ବଦଳୁଛି କିନ୍ତୁ ଜରାଜୀର୍ଣ୍ଣ ଅବସ୍ଥା ରେ ଥିବା ମେଡିକାଲର ଭାଗ୍ୟ ବଦଳୁନି । ଭଙ୍ଗା ଅବସ୍ଥାରେ ରହିଥିବା ହୋମିଓପାଥି ମେଡିକାଲର ଭିତିଭୂମି ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସ୍ଥାନୀୟ ସ୍ୱେଛାସେବୀ ସାଥି ସଂଘଟନ ସଭାପତି ଟୁଲୁ ରଥ ବହୁବାର ଚେଷ୍ଟା କରିଛନ୍ତି । ଗ୍ରାମବାସୀ ମଧ୍ୟ ବହୁବାର ଅଭିଯୋଗ କରିଛନ୍ତି । କିନ୍ତୁ ଫଳ ଶୂନ । ଏ ସମସ୍ୟା ନେଇ ହୋମିଓପାଥି ମେଡିକାଲ ଡାକ୍ତର ସୁମିତା ଟୁଡୁଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କହିଛନ୍ତି ଯେ, ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ନୂତନ କୋଠା ନିର୍ମାଣ ହେଲେ ଏହି ସମସ୍ୟା ଆଉ ରହିବ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପିକେପି