
ଜୟପୁର, ୧୪ ଜାନୁଆରି (ହି.ସ.) - ଜୟପୁର ସହରର ସୂର୍ଯ୍ୟମହଲ ଠାରେ ନିତ୍ୟ ଲାଗୁଥିବା କେଶବ ପ୍ରଭାତ ଶାଖାରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମ ରେ ନଗର ସଂଘ ଚାଳକ ଡ ନିରଞ୍ଜନ ମିଶ୍ର ଅତିଥି ଭାବେ ବାବୁ ଭାଇ ବଜରଙ୍ଗି ମୁଖ୍ୟ ବକ୍ତା ଭାବେ ମହେନ୍ଦ୍ର ମିଶ୍ର ମୁଖ୍ୟ ଶିକ୍ଷକ ବିଷ୍ଣୁ ପ୍ରସାଦ ସାହୁ ପ୍ରାର୍ଥନା ପ୍ରମୁଖ ସୁବ୍ରତ ପଣ୍ଡା ରହିଥିଲେ ମକର ଚାଉଳ ପୂଜନ ପରେ ସାଧାରଣରେ ବଂଟନ କରାଯାଇଥିଲା। ମୁଖ୍ୟ ବକ୍ତା ଏହି ଉତ୍ସବ ପାଳନ ସଂକ୍ରାନ୍ତେ କହିଥିଲେ ମକର ସଂକ୍ରାନ୍ତି ହେଉଛି ଭାରତର ଏକ ପ୍ରମୁଖ ସାଂସ୍କୃତିକ ବୌଦିକ ଏବଂ ଆଧ୍ୟାତ୍ମିକ ପର୍ବ। ଏହି ଦିନ ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି ଯାହାକୁ ମକର ସଂକ୍ରାନ୍ତି କୁହାଯାଏ। ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହୁଏ ଏବଂ ଦିନ ଗୁଡ଼ିକ ବଡ଼ ହେବା ସହ ଶୀତର ପ୍ରକୋପ କମିବାକୁ ଲାଗେ। ଭାରତ ଏକ ବିବିଧତାର ଦେଶ ହୋଇଥିବାରୁ ଏହି ଗୋଟିଏ ପର୍ବକୁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ଏବଂ ସ୍ଥାନୀୟ ପରମ୍ପରା ଅନୁସାରେ ପାଳନ କରାଯାଏ।
ଓଡ଼ିଶାରେ ଏହାକୁ ଖୁବ୍ ନିଷ୍ଠାର ସହ ପାଳନ କରାଯାଏ। ଏହି ଦିନ ନୂଆ ଚାଉଳ, ଛେନା, କଦଳୀ, ନଡ଼ିଆ ଏବଂ ଗୁଡ଼ ମିଶାଇ ମକର ଚାଉଳ ପ୍ରସ୍ତୁତ କରାଯାଇ ଭଗବାନଙ୍କ ପାଖରେ ଭୋଗ ଲଗାଯାଏ। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଏହା ଏକ ବଡ଼ ପର୍ବ। ଏହି ଦିନ ଲୋକମାନେ ପରସ୍ପରକୁ ମକର ବସାଇ ନୂଆ ବନ୍ଧୁତା ସ୍ଥାପନ କରନ୍ତି। ପଞ୍ଜାବ ଏବଂ ହରିୟାଣା ଠାରେ ସଂକ୍ରାନ୍ତିର ଠିକ ଦିନକ ପୂର୍ବରୁ ଲୋହରି ପାଳନ କରାଯାଏ। ଲୋକମାନେ ରାତିରେ ନିଆଁ ଜାଳି ତା ଚାରିପାଖରେ ନାଚଗୀତ କରନ୍ତି ଏବଂ ନିଆଁରେ ଚିନାବାଦାମ ଖଇ ଓ ଗୁଡ଼ ଅର୍ପଣ କରନ୍ତି। ଏହା ଶୀତ ଋତୁର ବିଦାୟକୁ ସୂଚାଇଥାଏ। ତାମିଲନାଡୁରେ ଏହି ପର୍ବକୁ ଚାରି ଦିନ ଧରି ପାଳନ କରାଯାଏ। ଏହା ଏକ ଚାଷ ଅମଳ ପର୍ବ ନୂଆ ମାଟି ହାଣ୍ଡିରେ କ୍ଷୀର ଚାଉଳ ଏବଂ ଗୁଡ଼ ମିଶାଇ ପୋଙ୍ଗଲ ପ୍ରସାଦ ରନ୍ଧାଯାଏ। ସୂର୍ଯ୍ୟ ଏବଂ ଗୋମାତାଙ୍କୁ ଏହି ଦିନ ପୂଜା କରାଯାଏ। ଗୁଜରାଟ ଏବଂ ରାଜସ୍ତାନରେ ଏହି ଦିନଟି ଘୁଡ଼ି ଉଡ଼ାଇବା ପାଇଁ ପ୍ରସିଦ୍ଧ।
ହିନ୍ଦୁସ୍ଥାନ ସମାଚାର / ପିକେପି