

ବଲାଙ୍ଗିର, 14 ଜାନୁଆରି (ହି.ସ.) - ଚାଷୀଙ୍କ ସରକାର ବୋଲି କହୁଥିବା ଚାରି ଆଡେ ଡିମ୍ଡିମ୍ ପିଟୁଥିବା ମୋହନ ମାଝିଙ୍କ ରାଜ୍ୟ ସରକାର ଧିରେ ଧିରେ ଚାଷୀ ବିରୋଧି ହୋଇ ବସିଲାଣି । ଧାନର ଗନ୍ତାଘର କୁହାଯାଉଥିବା ପଶ୍ଚିମ ଓଡିଶାର ଚାଷୀ ଙ୍କ ସମସ୍ୟା ଯେପରି ଭାବେ ବଢି ଚାଲିଛି ଆଗାମୀ ଦିନରେ ଏକ ବଡ କୃଷକ ଆନ୍ଦୋଳନ ପାଇଁ ବାଟ ଫିଟାଉଛି । ମଣ୍ଡିରୁ ଧାନ ଉଠୁ ନାହିଁ । ଚାଷୀଙ୍କୁ ତାଙ୍କର ଉତ୍ପାଦିତ ଧାନ ହିସାବରେ ଟୋକନ ମିଳୁ ନାହିଁ । ଏହି ସମସ୍ୟା ଧାନକିଣା ଦିନ ଧାର୍ଯ୍ୟ ହେବା ଦିନ ଠାରୁ ଜାରି ରହିଛି । ପୁଣି ସରକାର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପରିବର୍ତ୍ତେ ସ୍ୱାର୍ଥ ହାନି ହେଲା ଭଳିଆ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଉଛନ୍ତି । ଏଣୁ ବଲାଙ୍ଗିର ସଦର ବ୍ଲକ ଅଂଚଳର ହର୍ଡାଟାଲ ଠାରେ ଚାଷୀ ଓ ସାଧାରଣ ଜନତା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଭେଟି ତାଙ୍କ ସମସ୍ୟା ଉପରେ ଅଭିଯୋଗ ରଖିଛନ୍ତି । ବର୍ତ୍ତମାନ ସରକାର ଘୋଷଣା କରିଛନ୍ତି ଯେ ୧୫୦ କ୍ୱିଣ୍ଟାଲ ଉପରେ ଯଦି କୌଣସି ଚାଷୀ ଧାନ ଅମଳ କରୁଛି ତେବେ ୧୫୦ କ୍ୱିଣ୍ଟାଲ ରୁ ଅଧିକ ଯେତେ ଧାନ ବିନା ବୋନସରେ କିଣାଯିବ । ତେଣୁ ଏହାକୁ ନେଇ ଚାଷୀମାନଙ୍କ ମନରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ଗୋଟିଏ ପଟରେ ସରକାରଙ୍କ କୃଷି ବିଭାଗ ଅଧିକ ଅମଳ ହେଉଥିବା ଧାନ ଚାଷ ପାଇଁ ପ୍ରତ୍ସୋହିତ କରୁଥିବା ବେଳେ ଏପଟେ ଅଧିକ ଧାନ ଅମଳ କଲେ ବିନା ବୋନସ ରେ କିଣିବା ନିଷ୍ପତ୍ତି କାହିଁକି ନେଉଛନ୍ତି ଚାଷୀ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି । ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମଧ୍ୟ ଏଭଳି ନିଷ୍ପତ୍ତି ଚାଷୀ ସ୍ୱାର୍ଥ ବିରୋଧି ବୋଲି କହିଛନ୍ତି । ଆଲୋଚନା ବେଳେ ମଣ୍ଡିରୁ ଧାନ ନ ଉଠିବା, ଦ୍ୱିତୀୟ ପର୍ଯ୍ୟାୟ ଟୋକନ ଚାଷୀକୁ ପ୍ରଦାନ ଏ ପର୍ଯ୍ୟନ୍ତ ପ୍ରଦାନ ନ କରିବା କୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଅମଳ ଋତୁରେ ଯଦି ସରକାର ଏପରି ଚାଷୀ ମାରଣ ନୀତି ଅବଲମ୍ବନ କରିବେ ଏବଂ ଚାଷୀଙ୍କୁ ତାର ଧାନ ବିକ୍ରି ସମୟରେ ବିଭିନ୍ନ ପ୍ରକାର ନକରାତ୍ମକ ପରିସ୍ଥିତି ସୃଷ୍ଟି କରିବେ ତେବେ ଆଗାମୀ ଦିନରେ ଚାଷୀମାନେ ନିଶ୍ଚିତ ଭାବରେ ଏହାର ସଠିକ ଜବାବ ଦେବେ ବୋଲି ସାଧାରଣ ଲୋକ କହିଛନ୍ତି । କିଛି ଚାଷୀ ଚାଷ ପାଇଁ ହେଉଥିବା ବିଜୁଳି ସମସ୍ୟା ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଏହାକୁ ନେଇ ଶ୍ରୀ ମିଶ୍ର ଉପରସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ତାର ସମାଧାନର ବାଟ ବାହାର କରିବେ ବୋଲି ଉପସ୍ଥିତ ଲୋକଙ୍କୁ କହିଥିଲେ । ଆଜିର ଏହି ଆଲୋଚନା ବେଳେ ମାଗୁରବେଡା ସରପଂଚ ସଂଜୟ ଗଡତ୍ୟା, ବେଲାରସିଂ ଭୋଇ, ରାଧାକାନ୍ତ ଭୋଇ, ଭରତ ସାହୁ, ଅଜୟରାଜ ଗଡତ୍ୟା, ମଧୁସୁଦନ ଭୋଇ, ଦୁର୍ଗା ପ୍ରସାଦ ଭୋଇ, ସୁଦାମ ପ୍ରଧାନ ଙ୍କ ସହ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ