
ବଲାଙ୍ଗିର, 14 ଜାନୁଆରି (ହି.ସ.) -ତ୍ରୟୋବିଂଶତମ ବଲାଙ୍ଗିର ଲୋକଉତ୍ସବ- ୨୦୨୫- ୨୬ ପାଇଁ ଉଦଘୋଷକ ଚୟନ ପ୍ରକ୍ରିୟା ଆସନ୍ତାକାଲି ତା୧୫.୦୧.୨୦୨୬ ରିଖ, ସକାଳ ଘ. ୦୯.୩୦ ମି. ଠାରୁ ସଂସ୍କୃତି ଭବନ, କୋଶଳ କଳା ମଣ୍ଡପ, ବଲାଙ୍ଗିରରେ ଅନୁଷ୍ଠିତ ହେବ । ଏହା ପ୍ରତିଭାଗୀମାନଙ୍କର କଳା, କଣ୍ଠ ଓ ସୃଜନଶୀଳତା ପ୍ରଦର୍ଶନ କରିବା ପାଇଁ ଏକ ଅପୂର୍ବ ସୁଯୋଗ । ଜିଲ୍ଲା ସଂସ୍କୃତି ପରିଷଦ ଏବଂ ସାଂସ୍କୃତିକ କମିଟିର ଏହି ଚୟନ ପ୍ରକ୍ରିୟାକୁ ସାଫାଲ୍ୟ ମଣ୍ଡିତ କରିବା ପାଇଁ ସମସ୍ତ ଇଚ୍ଛୁକ ପ୍ରତିଭାଗୀଙ୍କୁ ଅଧିକ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଉଛି । ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ଇଚ୍ଛୁକ ୧୫ରୁ ୩୫ ବର୍ଷ ବୟସ୍କ ଯୁବକ ଓ ଯୁବତୀମାନେ ନିର୍ଦ୍ଧାରିତ ତାରିଖ, ସମୟ ଓ ସ୍ଥାନରେ ଉପସ୍ଥିତ ରହି ନିଜ ନାମ ପଞ୍ଜୀକରଣ କରିପାରିବେ । ପ୍ରତିଭାଗୀମାନେ ଉପଯୁକ୍ତ ବେଶଭୂଷା ସହ ନିଜ ଦ୍ୱାରା ପ୍ରସ୍ତୁତ ଦୁଇଟି ଉଦଘୋଷଣା ସମ୍ବଲପୁରୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ପ୍ରସ୍ତୁତ କରି ନିଜର କଳା ପ୍ରଦର୍ଶନ କରିବେ । ଆବଶ୍ୟକ ସ୍ଥଳେ ବିଚାରକମାନେ ପ୍ରତିଭାଗୀଙ୍କୁ ତତକ୍ଷଣାତ କିଛି କଳା ପ୍ରଦର୍ଶନ କରିବାକୁ ମଧ୍ୟ କହିପାରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ