
ଭୋପାଳ/ଇନ୍ଦୋର, ୧୭ ଜାନୁଆରୀ (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା ଗସ୍ତ କରିଥିଲେ । ଏହି ଗସ୍ତ କାଳରେ ସେ ଦୂଷିତ ପାଣି ଯୋଗୁଁ ଅସୁସ୍ଥ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସାକ୍ଷାତ କରିଥିଲେ । ଏହି ସମୟରେ, ସେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମେ ବମ୍ବେ ହସ୍ପିଟାଲ ଯାଇ ଚିକିତ୍ସାଧୀନ ରୋଗୀ ଏବଂ ସେମାନଙ୍କ ପରିବାର ସହିତ କଥାବାର୍ତା କରିଥିଲେ ଏବଂ ପରିସ୍ଥିତି ବିଷୟରେ ପଚାରି ବୁଝିଥିଲେ । ମୃତକଙ୍କ ପରିବାର ସହିତ ସାକ୍ଷାତ କରିବା ପରେ, ରାହୁଲ ଗାନ୍ଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେ କହିଛନ୍ତି ଯେ, ସ୍ମାର୍ଟ ସିଟି ଭାବରେ ଉପସ୍ଥାପିତ ହେଉଥିବା ସହରରେ ଲୋକମାନେ ସ୍ୱଚ୍ଛ ପାନୀୟ ଜଳ ମଧ୍ୟ ପାଉନାହାଁନ୍ତି । କେବଳ ପାଣି ପିଇବା ଦ୍ୱାରା ପରିବାରଗୁଡ଼ିକ ଅସୁସ୍ଥ ହୋଇପଡ଼ିଛନ୍ତି, ଯାହା ସହରାଚଂଳ ବିକାଶ ମଡେଲ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥାଏ । ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ତଥାକଥିତ ସହରାଚଂଳ ମଡେଲ ସମ୍ପୂର୍ଣ୍ଣ ବିଫଳ ହୋଇଛି ଏବଂ ସରକାର ଏହାର ମୌଳିକ ଦାୟିତ୍ୱ ଏଡାଉଛି ।
ସେ କହିଛନ୍ତି ଯେ, ଅନେକ ପରିବାର ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ବହୁ ସଂଖ୍ୟକ ଲୋକ ଅସୁସ୍ଥ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ସମସ୍ୟା କେବଳ ଇନ୍ଦୋର ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଦେଶର ଅନେକ ସହରରେ ସମାନ ପରିସ୍ଥିତି ସୃଷ୍ଟି ହେଉଛି । ସେ ଦାବି କରିଛନ୍ତି ଯେ, ଯେଉଁ ପରିବାରମାନଙ୍କୁ ଚିକିତ୍ସା କରିବାକୁ ପଡିଛି ଏବଂ ଯେଉଁମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କୁ ସରକାରଙ୍କ ଠାରୁ କ୍ଷତିପୂରଣ ମିଳିବା ଉଚିତ୍ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ