
ନୂଆଦିଲ୍ଲୀ, 17 ଜାନୁଆରି (ହି.ସ.)-ଶେୟାର ବଜାରର ଉଭୟ ସୂଚକାଙ୍କ—ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ
(ବିଏସଇ) ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)—ଚଳିତ ବର୍ଷ ୦୧ ଫେବୃଆରୀରେ
ବଜେଟ୍ ଆଗତ ହେବା ଦିନ ରବିବାର ହୋଇଥିବା ସତ୍ତ୍ୱେ ବ୍ୟବସାୟ ପାଇଁ ଖୋଲା ରହିବ।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ନିବେଶକମାନଙ୍କୁ ଦିଆଯାଇଥିବା
ସୂଚନାରେ କହିଛନ୍ତି ଯେ ସାଧାରଣ ସମୟ ଅନୁଯାୟୀ ହିଁ ବ୍ୟବସାୟ ହେବ। ଏହା ଦ୍ୱାରା ନିବେଶକମାନେ
ବଜେଟ୍ ଘୋଷଣା ଉପରେ ସତ୍ୱର ପ୍ରତିକ୍ରିୟା ଦେଇପାରିବେ। ସେହି ଦିନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ
ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୬–୨୭ ପାଇଁ କେନ୍ଦ୍ରୀୟ ବଜେଟ୍ ଆଗତ କରିବେ।
ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ନିବେଶକମାନଙ୍କୁ ଜାରି କରାଯାଇଥିବା ପରିପତ୍ରରେ
କହିଛି ଯେ କେନ୍ଦ୍ରୀୟ ବଜେଟ୍ ପେଶ ହେବା ହେତୁ ୦୧ ଫେବୃଆରୀରେ ସାଧାରଣ ସମୟ ଅନୁଯାୟୀ ‘ଲାଇଭ୍’
ବ୍ୟବସାୟିକ
ସତ୍ର ଆୟୋଜିତ କରାଯିବ। ପରିପତ୍ର ଅନୁସାରେ ‘ପ୍ରି-ଓପନ୍ ମାର୍କେଟ୍’
ସକାଳ
୯ଟାରୁ ଆରମ୍ଭ ହୋଇ ୯ଟା ୦୮ ମିନିଟ୍ରେ ସମାପ୍ତ ହେବ ଏବଂ ସାଧାରଣ ବ୍ୟବସାୟ ସକାଳ ୯ଟା ୧୫
ମିନିଟ୍ରୁ ଦ୍ୱିପ୍ରହର ୩ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ।
ଏହିପରି ବିଏସଇ ମଧ୍ୟ ୦୧ ଫେବୃଆରୀରେ ବ୍ୟବସାୟ ହେବା ସମ୍ପର୍କରେ ନିବେଶକମାନଙ୍କ ପାଇଁ
ପରିପତ୍ର ଜାରି କରିଛି। ବିଏସଇର ନୋଟିସ୍ ଅନୁସାରେ ୧ ଫେବୃଆରୀକୁ ‘ବିଶେଷ ବ୍ୟବସାୟ ଦିବସ’
ଭାବେ
ଘୋଷଣା କରାଯାଇଛି ଏବଂ ବଜାର ସାଧାରଣ ବ୍ୟବସାୟିକ ସମୟ ପାଇଁ ଖୋଲା ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା