
ମାଲକାନଗିରି, ୧୮ ଜାନୁଆରୀ (ହି.ସ.)- ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଜି ଏକ ଦିବସୀୟ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ଊନ୍ନୟନ ଅଧିକାରୀ ଶ୍ରୀମତୀ ପ୍ରିତା କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶ୍ରୀମତୀ ପ୍ରିତା କୁମାର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଏବଂ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ଏବଂ ସେ ତାଙ୍କର ପ୍ରାରମ୍ଭିକ ଅଭିଭାଷଣରେ କହିଥିଲେ ଯେ ବିଭିନ୍ନ ପ୍ରକଳ୍ପଗୁଡିକରେ ଦୀର୍ଘମିଆଦି ଓ ଗୁଣାତ୍ମକ ମାନ ରକ୍ଷାକଲେ ଆମ୍ଭେମାନେ ୨୦୩୦ ମସିହା ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ସାଧନ କରିପାରିବା । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଉପନିର୍ଦେଶକ ଗୋଲକ ଚନ୍ଦ୍ର ଦଳାଇ, ବରିଷ୍ଠ ଅର୍ଥନୈତିକ ଅନୁସନ୍ଧାନକାରୀ ସୁଚିତ୍ରା ମାଝୀ ଏବଂ ପିରାମଲ ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକ୍ରମ ମୁଖ୍ୟ ରାଜାରାମ ମଲ୍ଲିକ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଏହି ଶିକ୍ଷଣ କାର୍ଯ୍ୟକ୍ରମରେ ନଟବର ଗରଡା, ତହସିଲଦାର, ଚିତ୍ରକୋଣ୍ଡା ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ସରକାରି ସେବାରେ ସମୟାନୁବର୍ତ୍ତୀ ହେବାପାଇଁ ପରାମର୍ଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତିର ବିଭିନ୍ନ ଅଧୂକାରୀ, କର୍ମଚାରୀ ଏବଂ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧୂକାରୀମାନେ ଅଂଶଗ୍ରହଣ କରିଥିଲେ । ଲକ୍ଷ୍ମୀଧର ବାଗ ଓ ଯୋଜନା କାର୍ଯ୍ୟ।ଳୟର ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ । ପ୍ରଶିକ୍ଷଣ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ କରିଥିଲେ!
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ