
ହରିଦ୍ୱାର, 18
ଜାନୁଆରୀ (ହି.ସ.) - ମୌନୀ ଅମାବାସ୍ୟା ଅବସରରେ ଧର୍ମନଗରୀ ହରିଦ୍ୱାରରେ ହରକୀ ପୌଡ଼ି ସହିତ
ଗଙ୍ଗାର ବିଭିନ୍ନ ଘାଟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପୁଣ୍ୟ ସ୍ନାନ କରିଛନ୍ତି। ସ୍ନାନ
ପର୍ବକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ରବିବାର କଡା ଶୀତ ସତ୍ତ୍ୱେ
ମଧ୍ୟ ଭୋର ସକାଳରୁ ଗଙ୍ଗା ସ୍ନାନ ପାଇଁ ଗଙ୍ଗା ଘାଟଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବା
ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ସମସ୍ତ ଗଙ୍ଗା ଘାଟ ‘ହର୍ ହର୍ ଗଙ୍ଗେ’ର ଜୟକାରରେ ଗୁଞ୍ଜି ଉଠୁଥିଲା। ମୌନୀ
ଅମାବାସ୍ୟା ଅବସରରେ ଗଙ୍ଗା ସ୍ନାନ ସହିତ ତୀର୍ଥନଗରୀର ଆଶ୍ରମ ଓ ଆଖଡ଼ାଗୁଡ଼ିକରେ ବିଭିନ୍ନ
ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
ଅମାବାସ୍ୟା ଥିବାରୁ
ନାରାୟଣୀ ଶିଳାରେ ପିତୃମାନଙ୍କ ନିମିତ୍ତେ ପିଣ୍ଡଦାନ, ଶ୍ରାଦ୍ଧ-ତର୍ପଣ ଓ ନାରାୟଣ ବଳି କରିବାକୁ ଆସିଥିବା ଲୋକମାନଙ୍କର ପ୍ରବଳ ଭିଡ଼
ଦେଖାଯାଇଥିଲା। ସନାତନ ଧର୍ମରେ ମୌନୀ ଅମାବାସ୍ୟାରେ ମୌନ ରହି ଗଙ୍ଗା ସ୍ନାନ କରିବା ସହ ଅନ୍ନ,
ବସ୍ତ୍ର ଓ ତିଳ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି।
ନାରାୟଣୀ ଶିଳା ମନ୍ଦିରର
ପୂଜାରୀ ପଣ୍ଡିତ ମନୋଜ ତ୍ରିପାଠୀ କହିଛନ୍ତି ଯେ, ମାଘ ମାସରେ ପଡ଼ୁଥିବା ଅମାବାସ୍ୟାକୁ ମୌନୀ ଅମାବାସ୍ୟା କୁହାଯାଏ। ଏହା ଅତ୍ୟନ୍ତ
ପୁଣ୍ୟଦାୟକ ସମୟ। ଯେଉଁ ବ୍ୟକ୍ତି ଆଜିର ଦିନରେ ନିଜ ଆଖପାଖର ନଦୀଗୁଡ଼ିକରେ ସ୍ନାନ କରନ୍ତି,
ସେ କୁମ୍ଭ ସ୍ନାନ ସମାନ ପୁଣ୍ୟ ଫଳ ପାଆନ୍ତି। ଆଜିର ଦିନ ସମସ୍ତ ଦେବତା ଏବଂ
ଋଷି-ମୁନିମାନେ ମଧ୍ୟ ପୃଥିବୀକୁ ସ୍ନାନ ପାଇଁ ଆସନ୍ତି। ଏହି ଦିନ ଗଙ୍ଗା ସ୍ନାନ ଓ ଦାନର ବିଶେଷ
ମହତ୍ତ୍ୱ ରହିଛି। ଯେଉଁ ବ୍ୟକ୍ତି ଗଙ୍ଗା ସ୍ନାନ ପରେ ତିଳ, ଗୁଡ଼,
ଅନ୍ନ, ଗରମ ବସ୍ତ୍ର ଇତ୍ୟାଦି ଦାନ କରନ୍ତି, ସେହି ବ୍ୟକ୍ତି ସହସ୍ର ବର୍ଷ ପର୍ଯ୍ୟନ୍ତ ପୁଣ୍ୟଫଳ ପାଆନ୍ତି।
ସ୍ନାନ ପର୍ବକୁ ଦୃଷ୍ଟିରେ ରଖି
ପୁଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ଏବଂ ପର୍ଯ୍ୟାପ୍ତ ସଂଖ୍ୟାରେ
ପୁଲିସ ବଳ ନିୟୋଜିତ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା