
ଯୁବ ନବସୃଜନକାରୀ ଓ ଆଶାୟୀ ଉଦ୍ୟୋଗୀମାନଙ୍କ ପାଇଁ ଏକ ପ୍ରେରଣା ଭାବେ କାର୍ଯ୍ୟ କରିବ
ଭୁବନେଶ୍ୱର, 18 ଜାନୁଆରି (ହି.ସ.)ଓଡ଼ିଶାର ସମୃଦ୍ଧ ବାଣିଜ୍ୟିକ ପରମ୍ପରା ନୂତନତ୍ୱ ଢାଞ୍ଚାରେ ନିର୍ମାଣ କରିବା ପାଇଁ ପୁରୀ ସ୍ଥିତ ହୋଟେଲ ସ୍ଵସ୍ତି ପ୍ରିମିୟମ ଠାରେ ‘ପୂର୍ବୋଦୟ ଓଡି଼ଶା ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ‘ସାଧବ ଉତ୍ସବ-୨୦୨୬’ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୁବ ଗବେଷକ ତଥା ଉଦ୍ୟୋଗୀ ଡକ୍ଟର ସତ୍ୟପ୍ରକାଶ ମିଶ୍ରଙ୍କୁ ପ୍ରତିଷ୍ଠିତ ‘ୟଙ୍ଗ୍ ଇନୋଭେଟର ଆୱାର୍ଡ’ରେ ସମ୍ମାନିତ କରାଯାଇଛି ।
ଉତ୍ସବର ଉଦଯାପନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ଏମଏସଏମଇ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଗବେଷଣାଭିତ୍ତିକ ନବସୃଜନ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏନଆଇଟି ସିଲଚରରୁ ପିଏଚଡି ହାସଲ କରିଥିବା ଡକ୍ଟର ମିଶ୍ର ଗତ ଏକ ଦଶନ୍ଧି ଧରି ଭୂକମ୍ପର ତୀବ୍ରତା ଆକଳନ ଏବଂ ଭୂକମ୍ପ ସହନଶୀଳ ଭିତ୍ତିଭୂମି ନିର୍ମାଣ ଉପରେ ଗବେଷଣା ଜାରି ରଖିଛନ୍ତି । ତାଙ୍କର ୧୦ରୁ ଅଧିକ ଗବେଷଣା ପ୍ରବନ୍ଧ ଆନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶିତ ହେବା ସହ ସେ ଏକାଧିକ ପେଟେଣ୍ଟ ହାସଲ କରିଛନ୍ତି । ବର୍ତ୍ତମାନ ସେ ଭାରତର ପ୍ରାଚୀନ ଐତିହ୍ୟ ସମ୍ପନ୍ନ ସ୍ଥାପତ୍ୟର ସୁରକ୍ଷା ପାଇଁ ‘ଷ୍ଟ୍ରକଚରାଲ ହେଲଥ ମନିଟରିଂ’ ଉପରେ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ ‘ମେସିନେକ୍ସ ଷ୍ଟ୍ରକଚରାଲ ଲାବ୍ସ’ ନାମକ ଏକ ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା, ଯାହା ଭୂକମ୍ପ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ଅତ୍ୟାଧୁନିକ ପରୀକ୍ଷଣ ଓ ବୈଷୟିକ ସମାଧାନ ପ୍ରଦାନ କରୁଛି ।
ଏହି ସମ୍ମାନ ଗ୍ରହଣ କରି ଡକ୍ଟର ମିଶ୍ର ପୂର୍ବୋଦୟ ଓଡ଼ିଶା ଫାଉଣ୍ଡେସନ ଏବଂ ସମସ୍ତ ଆୟୋଜକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ସ୍ୱୀକୃତି ରାଜ୍ୟର ଯୁବ ନବସୃଜନକାରୀ ଓ ଆଶାୟୀ ଉଦ୍ୟୋଗୀମାନଙ୍କ ପାଇଁ ଏକ ପ୍ରେରଣା ଭାବେ କାର୍ଯ୍ୟ କରିବ ।
ସାଧବ ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ପୁଞ୍ଜିନିବେଶକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ‘ସମୃଦ୍ଧ ଓଡ଼ିଶା ୨୦୩୬’ର ଲକ୍ଷ୍ୟ ହାସଲ କରିବା ଏବଂ ଓଡ଼ିଶାର ଐତିହାସିକ ସାମୁଦ୍ରିକ ବାଣିଜ୍ୟ ଗୌରବକୁ ଆଧୁନିକ ଜ୍ଞାନକୌଶଳ ଜରିଆରେ ପୁନରୁଦ୍ଧାର କରିବା ପାଇଁ ଏହି କନକ୍ଲେଭରେ ବିସ୍ତୃତ ଆଲୋଚନା କରାଯାଇଥିଲା । ୨୦୩୬ ସୁଦ୍ଧା ରାଜ୍ୟରେ ୧୦୦ଟି ବୃହତ ଷ୍ଟାର୍ଟଅପ୍ ପ୍ରତିଷ୍ଠାନ ଗଢ଼ିବାକୁ ଏଠାରେ ସଂକଳ୍ପ ନିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ