
ଭଦ୍ରକ, ୩ ଜାନୁଆରୀ (ହି.ସ.) - ସରକାର ଶିକ୍ଷାର ବିକାଶ ଓ ଗରିବ ଶ୍ରେଣୀର ପିଲାଙ୍କ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ଗୋଖାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ, ରାମେଶ୍ୱରପୁର ର ଅବସ୍ଥା ଦେଖିଲେ ଏହା ସ୍ପଷ୍ଟ ଜଣାପଡୁଛି। ୧୯୬୨ ମସିହାରୁ ପ୍ରତିଷ୍ଠିତ ଏହି ପୁରାତନ ବିଦ୍ୟାଳୟ ଆଜି ଅବହେଳାର ଶିକାର। ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୩୧ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନାହିଁ। ବିଦ୍ୟାଳୟରେ ଶୌଚାଳୟ ନାହିଁ କି ପିଇବା ପାଣିର ସୁବିଧା ନାହିଁ। ପିଲାମାନେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଶୌଚାଳୟ ଅଭାବରୁ ଛୋଟ ଛୋଟ ପିଲାମାନେ ବିପଦପୂର୍ଣ୍ଣ ଅବସ୍ଥାରେ ନିକଟସ୍ଥ ନଦୀକୁ ଯାଉଛନ୍ତି, ଯାହା ଯେକୌଣସି ସମୟରେ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ବିଦ୍ୟାଳୟର ଚାରିପାଖରେ ପାଚେରୀ ନଥିବାରୁ ପିଲାମାନଙ୍କ ସୁରକ୍ଷା ନେଇ ଅଭିଭାବକମାନେ ଚିନ୍ତିତ ରହୁଛନ୍ତି। ଏହି ବିଦ୍ୟାଳୟରେ ୯୮ ପ୍ରତିଶତ ପିଲା ହରିଜନ ଶ୍ରେଣୀର। ସେମାନଙ୍କ ଉନ୍ନତି ପାଇଁ ସରକାରୀ ଯୋଜନା ଥିଲେ ମଧ୍ୟ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି। ଏ ସମ୍ପର୍କରେ ସି.ଆର.ସି.ସି. ବ୍ରହ୍ମାନନ୍ଦ ଜେନା କୁହନ୍ତି ଯେ, ମାସିକ ରିପୋର୍ଟରେ ଏହି ସମସ୍ୟା ବିଷୟରେ ଅଫିସ କୁ ଦର୍ଶାଯାଉଛି, ମାତ୍ର ଆବଶ୍ୟକୀୟ ଅନୁଦାନ ମିଳୁନାହିଁ। ଅନ୍ୟପଟେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ କହିଛନ୍ତି ଯେ, ଏହି ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ। ଷାଠିଏ ବର୍ଷରୁ ଅଧିକ ପୁରୁଣା ଏହି ବିଦ୍ୟାଳୟର ଭାଗ୍ୟ କେବେ ବଦଳିବ ଏବଂ କୋମଳମତି ଶିଶୁମାନେ କେବେ ଏକ ସୁରକ୍ଷିତ ଶିକ୍ଷା ପରିବେଶ ପାଇବେ, ତାହା ଦେଖିବାକୁ ବାକି ରହିଲା। ସୁଚନା ଥାଉ କି ବିଦ୍ୟାଳୟ ରେ ଏକ ଅଧାଗଡା ଶୌଚାଳୟ ଥିଲେମଧ୍ୟ ଟଙ୍କା ଅଭାବରୁ ତାହା ପୁରା ହୋଇ ପାରୁନାହିଁ। ଏହି ବିଦ୍ୟାଳୟ ରେ ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଥିଲେ ମଧ୍ୟ ସେମାନେ ମଧ୍ୟ ବିଭିନ୍ନ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏସ କେ ନୟୀମୁଦୀନି କହିଛନ୍ତି ଯେ ବିଦ୍ୟାଳୟ ର ବିଭିନ୍ନ ଅସୁବିଧା ରେ ଗତି କରୁଥିଲେ ମଧ୍ୟ ବାରମ୍ୱାର ଅଭିଯୋଗ ପରେବି ସମସ୍ୟା ର ସମାଧାନ ହୋଇ ପାରୁନାହିଁ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ