


ସମ୍ବଲପୁର, ୦୩ ଜାନୁଆରୀ(ହି.ସ.) – ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସ୍ଥିତ ଶ୍ରମିକ ଭବନରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭାପତି ବିଶ୍ୱନାଥ ପଣ୍ଡିତଙ୍କ ୧୦୭ତମ ଜୟନ୍ତୀ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ(ଓକେକେଏସ୍), କୁଚିଣ୍ଡା ଶାଖା ଓ ପଶ୍ଚିମା ସଂଗଠନର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓକେକେଏସ୍ ସଭାପତି ବିଜୟ ମହାନ୍ତି ସଭାପତିତ୍ୱ କରିଥିଲେ। ସଂଘର ସମ୍ପାଦକ ମହମ୍ମଦ ମୂରତୁଜାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ପଶ୍ଚିମାର ସଭାପତି ସୁବାସ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଏବଂ ରାଜେନ୍ଦ୍ର ଛତ୍ରିଆ, ପଶ୍ଚିମ ଓଡ଼ିଶା କୃଷକ ସୁରକ୍ଷା ସଂଗଠନ ଆବାହକ ସରୋଜ ବାବୁ, ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିସାନ, ପଶ୍ଚିମାର ସମ୍ପାଦକ କରୁଣାକର କିଶାନ, ଟ୍ରେଡ଼ ୟୁନିୟନ ନେତା ସଂଜିତ୍ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପଦ୍ମାବତୀ କିସାନ, ମନୋରଂଜନ ଭୋଇ, ଆଦିବାସୀ ନେତା ଶ୍ୟାମ ମୁଣ୍ଡା, ବିଜେଡି ବ୍ଲକ ସଭାପତି ଅମୂଲ୍ୟ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶ୍ୱନାଥ ପଣ୍ଡିତଙ୍କ ସମାଜବାଦୀ କାର୍ଯ୍ୟଧାରାର ସ୍ମୃତିଚାରଣ କରିଥିଲେ। ଅତିଥିମାନେ ତାଙ୍କର କାର୍ଯ୍ୟଶୈଳୀକୁ ଉଚ୍ଚ ପ୍ରଶଂସା କରି ସେ ଖଟିଖିଆ ଜନତାର ଉପଯୁକ୍ତ ମୁକ୍ତିଦାତା ଥିଲେ ବୋଲି କହିଥିଲେ। ଏହି ଅବସରରେ ହିନ୍ଦ୍ ମଜଦୂର ସଭାର ନୂତନ ସଭାପତି ତଥା ଓକେକେଏସ୍ ସଭାପତି ବିଜୟ ମହାନ୍ତିଙ୍କୁ ପଶ୍ଚିମା ଅନୁଷ୍ଠାନ ଓ ଅନ୍ୟ ନେତୃମଣ୍ଡଳୀ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସଭାରେ କୀର୍ତନ ସେନାପତି ଓ ଚତୁର୍ଭୁଜ ମେହେରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ