
ସୁକମା, ୩ ଜାନୁଆରୀ (ହି.ସ.)- ଛତିଶଗଡ଼ର ବସ୍ତର ରେଞ୍ଜରେ ନକ୍ସଲ ବିରୋଧୀ ଅପରେସନ ସମୟରେ ସୁରକ୍ଷା ବାହିନୀ ଆଜି ୧୪ ନକ୍ସଲଙ୍କ ମୃତଦେହ ଜବତ କରିଛି । ତନ୍ମଧ୍ୟରୁ ବିଜାପୁର ଜିଲ୍ଲାରୁ ଦୁଇ ଏବଂ ସୁକମା ଜିଲ୍ଲାରୁ ୧୨ ଶବ ଜବତ କରାଯାଇଛି ।
ଏନକାଉଂଟର ସ୍ଥଳରୁ ବିପୁଳ ମାତ୍ରାରେ ଏକେ-୪୭, ଇନସାସ, ଏସଏଲଆର ରାଇଫଲ୍ ଭଳି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଅତିରିକ୍ତ ପୋଲିସ ଅଧିକ୍ଷକ ଆକାଶ ରାଓ ଗିରପୁଞ୍ଜେଙ୍କ ହତ୍ୟାରେ ସମ୍ପୃକ୍ତ କୋଂଟାର ମାଙ୍ଗଟୁ (ଡିବିସିଏମ), ଏସିଏମ ହିତେଶଙ୍କ ସମେତ ୧୪ ନକ୍ସଲ ନିହତ ହୋଇଥିବା ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି । ବିଜାପୁର ଜିଲ୍ଲାର ଗଗନପାଲି ଗ୍ରାମ (ବସାଗୁଡ଼ା ପୋଲିସ ଷ୍ଟେସନ) ଜଙ୍ଗଲରୁ ହୁଙ୍ଗା ମାଡ଼କାମ ସମେତ ଦୁଇ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ଛତିଶଗଡ଼ର ସୁକମା ପୋଲିସ ଅଧିକ୍ଷକ କିରଣ ଚହ୍ଵାନ କହିଛନ୍ତି ଯେ, ବିଜାପୁର ଏବଂ ସୁକମା ଜିଲ୍ଲାର ଦକ୍ଷିଣାଚଂଳରେ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ବିଷୟରେ ବିଶ୍ୱସ୍ତ ସୂଚନା ଆଧାରରେ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନର ଅଂଶ ସ୍ୱରୂପ ଦକ୍ଷିଣ ବସ୍ତର ଅଂଚଳରେ ଡିଆରଜି ଦଳଗୁଡ଼ିକୁ ନିୟୋଜିତ କରାଯାଇଥିଲା । ଅପରେସନ ସମୟରେ, ଶନିବାର ସକାଳ ପ୍ରାୟ ୫ଟାରୁ ବିଜାପୁର ଜିଲ୍ଲାରେ ଡିଆରଜି ଏବଂ ମାଓବାଦୀଙ୍କ ମଧ୍ୟରେ ମଝିରେ ମଝିରେ ଏନକାଉଂଟର ଜାରି ରହିଛି, ଯେତେବେଳେକି ସକାଳ ପ୍ରାୟ ୮ଟାରୁ ସୁକମା ଜିଲ୍ଲାର କୋଂଟା ଏବଂ କିସ୍ତାରାମ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ମଝିରେ ଗୁଳି ବିନିମୟ ମଧ୍ୟ ଚାଲିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ