
ଚମ୍ପୁଆ, ୦୩ ଜାନୁଆରି (ହି.ସ.) - ସରକାର ବିଦ୍ୟାଳୟ ମାନଙ୍କରେ ଉତମ ପରିବେଶରେ ଉର୍ନ୍ନତ ଶିକ୍ଷା ଦାନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନେକ କ୍ଷେତ୍ରରେ ଶିକ୍ଷକଙ୍କ ମନମାନି ପାଇଁ ତାହା କାର୍ଯ୍ୟକାରୀ ହେଉ ନ ଥିବା ଦେଖିବାକୁ ମିଳୁଛି। ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ଏକ ପ୍ରହସନରେ ପରିଣତ ହୋଇଛି। ଏମିତି ଏକ ଘଟଣାକୁ ନେଇ ଆଜି ଚମ୍ପୁଆ ବ୍ଲକ ଅନ୍ତର୍ଗତ ରଜିଆ ଗ୍ରାମର ଅସନବାହାଳି ସରକାରୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇଛନ୍ତି ବିଦ୍ୟାଳୟର ଛାତ୍ର, ଛାତ୍ରୀ ଓ ଅଭିଭାବକ। ଛାତ୍ର, ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ଶିକ୍ଷକ ମାନେ ଠିକ ଭାବେ ଶିକ୍ଷାଦାନ କରୁ ନାହାନ୍ତି, ମଧ୍ୟାହ୍ନ ଭୋଜନରେ ଛାତ୍ର, ଛାତ୍ରୀଙ୍କୁ ଖରାପ ଖାଦ୍ୟ ଦେଇ ଭଲ ଖାଦ୍ୟ ଶିକ୍ଷକ ମାନେ ଖାଇ ଯାଉଛନ୍ତି, ଆସୁଥିବା ମାଣ୍ଡିଆ ଲଡ଼ୁ ଛାତ୍ର ଛାତ୍ରୀଙ୍କୁ ଦିଆ ଯାଉନାହିଁ, ଛାତ୍ର ଛାତ୍ରୀଙ୍କ ପାଇଁ ଆସୁଥିବା ଆଇରନ ବଟିକା ମଧ୍ୟ ଦିଆ ଯାଉ ନାହିଁ, ପାଇଖାନା ଗୃହରେ ଚାବି ପକାଇ ରଖୁଛନ୍ତି, ପାଣି ଟ୍ୟାପରେ ପାଣି ଛଡା ଯାଉ ନାହିଁ ଫଳରେ ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିପରି ସଂଗୀନ ଅଭିଯୋଗ କରି ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନେ ବିଦ୍ୟାଳୟ ଗେଟରେ ତାଲା ପକାଇଥିଲେ।
ତେବେ ଗତକାଲି ଶିକ୍ଷକ ବଦଳି ପ୍ରତ୍ୟାହାର ଦାବି ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ସ୍କୁଲରେ ଗେଟରେ ଚାବି ପକାଇଥିବା ବେଳେ ଆଜି ବିଦ୍ୟାଳୟରେ ଅବ୍ୟବସ୍ଥା କୁ ନେଇ ପୁଣିଥରେ ଚାବି ପକାଇଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକ। ଫଳରେ ବିଦ୍ୟାଳୟରେ ଦୁଇଦିନ ଧରି ପାଠପଢା ସମ୍ପୂର୍ଣ ବନ୍ଦ ରହିଛି। ବିଦ୍ୟାଳୟ ଗେଟରେ ତାଲା ପଡିବା ଯୋଗୁଁ ଅଙ୍ଗନବାଡି ର ଶିଶୁ ମାନେ ମଧ୍ୟ ଗେଟ ବାହାରେ ଅଟକି ରହିଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ସମୟ ବନ୍ଦ ପରେ ଏ.ବି.ଇ.ଓ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ବି.ଇ.ଓ ଏବଂ ଉପଜିଲ୍ଲାପାଳଙ୍କ ଉପସ୍ଥିତି କାର୍ଯ୍ୟାନୁଷ୍ଠାନ ଦାବୀ କରି ନିଜ କଥାରେ ଅଟଳ ରହିଥିଲେ। ଫଳରେ ଦିନ ସାରା ବିଦ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।
ହିନ୍ଦୁସ୍ଥାନ ସମାଚାର / Trinath Mahanta