
ଜୟପୁର, ୦୩ ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲାପାଳ ମୋନଜ ସତ୍ୟୱାନ ମହାଜନ ଆଜି ଜୟପୁର ବ୍ଲକ ଏବଂ ପୌରାଂଚଳର ବିଭିନ୍ନ ଉନ୍ନତୀ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଜୟପୁର ବ୍ଲକ ଗଡପଦର ଗ୍ରାମ ନିକଟସ୍ଥ ଝରଣା ନିକଟରେ ବଣଭୋଜି ତଥା ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶ କାର୍ଯ୍ୟ ଦେଖିବା ପାଇଁ ସେଠାରେ ପହଂଚିଥିଲେ । ଏହାପରେ କାଳିଗାଁ ଗ୍ରାମପଂଚାୟତ ସଦର ଗ୍ରାମ ସ୍ଥିତ ପୁରୁଣା ଉଚ୍ଚ ବିଦ୍ୟାଳୟ ପରିସର ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀ କକ୍ଷ, ନୂତନ ବିଦ୍ୟାଳୟ ଭବନ, ୪୦ ସିଟ୍ ବିଶିଷ୍ଟ ଆଦିବାସୀ ଛାତ୍ର ନିବାସ ପରିସର ଏବଂ ନିର୍ମାଣ ହେଉଥିବା ଗ୍ରାମାଂଚଳର ବଜାର ତଥା ମଣ୍ଡି ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ଏହାପରେ ଫାମ୍ପୁଣି ଗ୍ରାମପଂଚାୟତର ସଦର ମହକୁମା ସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ମିଶନ ଶକ୍ତିଙ୍କ ପାଇଁ ଗ୍ରାମପଂଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ପରିଦର୍ଶନ କରିଥିଲେ । ଗଡପଦରସ୍ଥିତ ବଣଭୋଜି ସ୍ଥଳୀ ବିକାଶ କରାଯାଇ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ନିର୍ମାଣ କରାଯିବ ଏବଂ ଏଠାରେ ରହିବା ପାଇଁ ଆଶ୍ରୟ ସ୍ଥଳୀ ଏବଂ ବଣ ଭୋଜିଭାତ ପାଇଁ ପିଣ୍ଡି, ପାନୀୟ ଜଳ ବ୍ୟବସ୍ଥା ଏବଂ ପାଣିକୁ ଚେକ ଡେମ ମାଧ୍ୟମରେ ତଳମୁଣ୍ଡରେ ରହୁଥିବା ଚାଷୀ ମାନଙ୍କୁ ଜଳ ଯୋଗାଣ କରାଯାଇ କୃଷି କାର୍ଯ୍ୟ କରିବାରେ ସହାୟକ କରାଯିବ । ଏହାର ବିକାଶ କରାଯାଇ ଜିଲ୍ଲାର ଏକ ପର୍ଯ୍ୟଟକ ପାଇଁ ରମଣୀୟ ସ୍ଥାନ ଭାବେ ଗଢିବା ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ତେଣୁ ନିର୍ମାଣ ପାଇଁ ଖର୍ଚ୍ଚ ଅଟକଳ କରିବାକୁ ଉପସ୍ଥିତ ଯନ୍ତ୍ରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ପୌରାଂଚଳର ଦୀର୍ଘ ବର୍ଷ ଧରି ଉନ୍ନତୀକରଣ କାର୍ଯ୍ୟ ଚାଲିଥିବା ନୀଳକଣ୍ଠ ସାଗର ନିର୍ମାଣ ସ୍ଥଳୀରେ ପହଂଚି କାର୍ଯ୍ୟର ସମୀକ୍ଷା କରିଥିଲେ । ଏହିପରି ନିର୍ମାଣ କାର୍ଯ୍ୟର ମନ୍ଥର ଗତି ଦେଖି ବିରକ୍ତି ହେବା ସହିତ ଆସନ୍ତା ସାଧାରଣତନ୍ତ୍ର ଦିବସ ପୂର୍ବରୁ ନିର୍ମାଣ ଶେଷ କରିବା ସହ ପୌରସଂସ୍ଥାକୁ ହସ୍ତାନ୍ତର କରିବାକୁ ଠିକାସଂସ୍ଥାର ଦାୟୀତ୍ୱରେ ରହିଥିବା କର୍ମଚାରୀଙ୍କୁ ତାଗିଦ କରିଥିଲେ । ଏହିପରି ଆସନ୍ତା ଜାନୁୟାରୀ ୨୬ ତାରିଖରେ ଏହାକୁ ଲୋକାର୍ପଣ କରିବା ନେଇ ଜିଲ୍ଲାପାଳ ଶ୍ରୀ ମହାଜନ ଧାର୍ଯ୍ୟ କରିଛନ୍ତି । ଏହିପରି ଶ୍ରମ କାର୍ଯ୍ୟାଳୟ ଠାରେ କୋରାପୁଟ କାଫେଷ୍ଟଲକୁ ଅପଗ୍ରେଡ କରାଯାଇ ତୁରନ୍ତ କାର୍ଯ୍ୟକାରୀ କରାଯିବ ଏବଂ ମିଲେଟ ଦ୍ୱାରା ନିର୍ମିତ ସାମଗ୍ରୀ ବିକ୍ରୟ ମଧ୍ୟ ଏହି କେଫେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହିପରି ପରିମଳ ନେଇ ଅସ୍ଥାୟୀ ଶୌଚାଳୟ ଗୁଡିକକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଉପଜିଲ୍ଲାପାଳ ତଥା ପୌରନିର୍ବାହୀ ନିର୍ବହୀ ଅଧିକାରୀ ଅକା ବରମ ସସ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚ୍ଚୀ ଜେନା, ପୌରସଂସ୍ଥାର ଅତିରିକ୍ତ ନିର୍ବାହୀ ଅଧିକାରୀ ପୂଜା ରାଉତ, ଯନ୍ତ୍ରୀ ଅଜୟ କୁମାର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି