
ଜୟପୁର, ୦୩ ଜାନୁଆରି (ହି.ସ.) ଇପିଏଫ୍ ପେନସନର୍ସ ଆସୋସିଏସନ୍ ଜାନୁଆରୀ ଆଠ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ।
ଆଜି ଇପିଏଫ୍ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା କମିଟି ର ବୈଠକ ଶ୍ରୀ ନଳିନୀକାନ୍ତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଇପିଏଫ୍ ପେନସନର୍ସ ଆସୋସିଏସନ୍ ଦାବି କରି ଆସୁଛି ଯେ ସର୍ବ ନିମ୍ନ ପେନସନ ମାସିକ ୯,୦୦୦/- ଟଙ୍କା କରାଯାଉ । ଚାକିରି କାଳରେ ପ୍ରାୟ ୪୦ ବର୍ଷ ଧରି ଇପିଏଫ୍ ପେନସନର୍ସ ପାଣ୍ଠିକୁ ଶ୍ରମିକ କର୍ମଚାରୀ ମାନେ ଦେୟ ଦେବା ସତ୍ୱେ ଅବସର ଗ୍ରହଣ ପରେ ମାତ୍ର ୧୦୦୦ /-ଟଙ୍କା ରୁ ସର୍ବାଧିକ ୪୦୦୦/- ଟଙ୍କା ପେନସନ ପାଉଛନ୍ତି । କିନ୍ତୁ ଅନେକ ରାଜ୍ୟ ସରକାର ବାର୍ଦ୍ଧକ୍ୟ ଭତା ଷାଠିଏ ବର୍ଷ ପରେ ୩୦୦୦/- ଟଙ୍କା ମାସିକ ପେନସନ ଦେଉଛନ୍ତି। କେନ୍ଦ୍ର ର ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ପରିଚାଳିତ ବିଜେପି ସରକାର ବହୁବାର ପେନସନ କଥା ବିଚାର କରିବା ପାଇଁ ଆଶ୍ୱାସନା ଦେବା ପରେ ମଧ୍ୟ କୈ।ଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ଇପିଏଫ୍ ପେନସନର୍ସ ଆସୋସିଏସନ୍ ର ଧାରଣା ଦିଲ୍ଲିପ ଜନ୍ତର ମନ୍ତର ଠାରେ ଜାରି ରହିଛି। ଆନ୍ଦୋଳନ କୁ ବ୍ୟାପକ କରିବା ପାଇଁ ଆଗାମୀ ଆଠ ତାରିଖ ଦିନ ଦେଶର ସମସ୍ତ ଜିଲ୍ଲା ପାଳ ଅଫିସ୍ ସମ୍ମୁଖରେ ପେନସନର୍ସ ଆସୋସିଏସନ୍ ବିକ୍ଷୋଭ କରିବେ।ଦାବି ରହିବ ସର୍ବନିମ୍ନ ପେନସନ ମାସିକ ୯୦୦୦/- ଟଙ୍କା ସହ ମହଙ୍ଗା ଭତା ଯୋଡ଼ିବା, ମେଡିକାଲ ସୁବିଧା ପାଇଁ ଆୟୁଷ୍ମାନ ଯୋଜନାରେ ସାମିଲ କରିବା, ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ବର୍ଦ୍ଧିତ ହାରରେ ପେନସନ ପାଇଁ ସମସ୍ତ ଙ୍କୁ ସୁଯୋଗ ଦେବା ଇତ୍ୟାଦି। ବିକ୍ଷୋଭ ରେ ଇପିଏଫ୍ ପେନସନର୍ସ ଆସୋସିଏସନ୍ ର କର୍ମକର୍ତା ଓ ସଭ୍ୟମାନେ ବହୁସଂଖ୍ୟାରେ ଯୋଗ ଦେବା ପାଇଁ ଆସୋସିଏସନ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଆଜି ର ବୈଠକ ରେ ସର୍ବଶ୍ରୀ ପ୍ରମୋଦ କୁମାର ମହାନ୍ତି, ବସନ୍ତ ବେହେରା,କିଶୋର ଚନ୍ଦ୍ର ପଣ୍ଡା, ପ୍ରହ୍ଲାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି