

ସୁବର୍ଣ୍ଣପୁର, ୦୩ ଜାନୁଆରୀ(ହି.ସ.) – ଆଜି ସନ୍ଧ୍ୟା ୫.୩୦ଟାରେ ଆସନ୍ତା ଜାନୁଆରୀ ୭ରୁ ୧୧ ଯାଏଁ ଅନୁଷ୍ଠିତ ହେବାକୁ ଥିବା ‘ମହିମା' ଲୋକ ମହୋତ୍ସବରେ ପଲ୍ଲିଶ୍ରୀ ମେଳାର ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି ଜିଲ୍ଲା ରାମେଶ୍ୱର ଷ୍ଟାଡିୟମ ପଡ଼ିଆ ଠାରେ। ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ଆସନ୍ତା ପଲ୍ଲିଶ୍ରୀ ମେଳାରେ ସମସ୍ତଙ୍କର କେତୋଟି ଷ୍ଟଲ ରହିବ ଏବଂ କିପରି ଷ୍ଟଲକୁ ସୁନ୍ଦର କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା।
ଏତଦବ୍ୟତୀତ ମହୋତ୍ସବର କେମିତି ଠିକ୍ରେ ଚାଲିବ, ଲୋକଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ରହିବ ଏବଂ ଷ୍ଟାଡିୟମ୍ କିପରି ସଫା ସୁତରା ରହିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା। ଆସନ୍ତା ‘ମହିମା’ ସୁବର୍ଣ୍ଣପୁର ଲୋକ ମହୋତ୍ସବ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ଓ ସବୁ ପ୍ରକାରର ପ୍ରସ୍ତୁତି ଶେଷ ଅବସ୍ଥାରେ ପହଂଚିଛି।
ଓରମାସ ତରଫରୁ ସମସ୍ତ ଷ୍ଟଲ ତିଆରି ଚାଲିଛି। ଏହି ପଲ୍ଲିଶ୍ରୀ ମେଳାରେ ୧୧୦ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କର ଷ୍ଟଲ ରହିବ, ୪୦ଟି ଖାଦ୍ୟ ଷ୍ଟଲ, ୧୦ଟି ଜିଲ୍ଲା ପ୍ରଶାସନର ସହାୟକ ଷ୍ଟଲ ରହିବ, ୨୦ଟି ଘରୋଇ ସଂସ୍ଥା ଓ କମ୍ପାନୀମାନଙ୍କର ଷ୍ଟଲ ଏବଂ ୧୦ ରାଜ୍ୟ ବାହାରର ବାଣିଜ୍ୟ ଷ୍ଟଲ ରହିବ। ମହୋତ୍ସବରେ ପାନୀୟ ଜଳର ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ବିଷୟରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଞ୍ଜଳୀନା ପ୍ରଧାନ, ଉପଜିଲ୍ଲାପାଳ ସୌମ୍ୟରୂପା ରଥ, ପ୍ରକଳ୍ପ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ଉଷାରାଣୀ ଦାସ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ