ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଦାଣ୍ଡିଆକୁଣ୍ଡ ଜଳପ୍ରପାତ
ମାଲକାନଗିରି, ୩ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ ରେଙ୍ଗାମଗୁଡା ଗାଁ ନିକଟରେ ଏକ ପ୍ରାକୃତିକ ପରିବେଶ ଘେରା ସୁନ୍ଦର ଜଳପ୍ରପାତ ଜିଲ୍ଲା ପ୍ରଶାସନ ତଥା କୋରୁକୋଣ୍ଡା ବ୍ଲକ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛି। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ
ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ଦାଣ୍ଡିଆକୁଣ୍ଡ ଜଳପ୍ରପାତ।


ମାଲକାନଗିରି, ୩ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ ରେଙ୍ଗାମଗୁଡା ଗାଁ ନିକଟରେ ଏକ ପ୍ରାକୃତିକ ପରିବେଶ ଘେରା ସୁନ୍ଦର ଜଳପ୍ରପାତ ଜିଲ୍ଲା ପ୍ରଶାସନ ତଥା କୋରୁକୋଣ୍ଡା ବ୍ଲକ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଛି। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ସହରରୁ ଜୟପୁର ଯିବା ରାସ୍ତାରେ ଆପନମାଳା ଗାଁ ଠାରୁ ଶହେ ମିଟର ଦୂର ଗଲା ପରେ ଡାହାଣ ପଟେ ରେଙ୍ଗାମଗୁଡା ଗାଁକୁ ଯିବାକୁ ଏକ ମାଟି ରାସ୍ତା ରହିଛି। ସେଠାରୁ ପାଖାପାଖି ଏକ କିଲୋମିଟର ଗଲେ ଏକ ପାହାଡ ପାଖ ଦେଇ ଦାଣ୍ଡିଆକୁଣ୍ଡ ଜଳପ୍ରପାତ ପଡ଼ିଥାଏ। ଶୀତ ଋତୁରେ ଏଠିକାର ପରିବେଶ ଦାରିଙ୍ଗବାଡି ଠାରୁ ମଧ୍ୟ ଅତି ମନଲୋଭା। ସବୁଜ ବଣ ପାହାଡରେ ପରିପୂର୍ଣ୍ଣ ମଧ୍ୟରେ ଅବହେଳିତ ଭାବେ ପଡ଼ିରହିଛି ଏହି ସୁରମ୍ୟ ଜଳପ୍ରପାତ। ଏହି ଜଳପ୍ରପାତର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ଅନୁରୋଧ କରୁଛନ୍ତି। ହେଲେ ପ୍ରଶାସନ ଜାଣିଶୁଣି ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏହା ସହିତ ସୋମନାଥପୁର ପଞ୍ଚାୟତ ମଧ୍ୟରେ ଆହୁରି ଅନେକ ଐତିହ୍ୟ କିମ୍ବଦନ୍ତୀ ଭରପୁର ସ୍ଥାନ ରହିଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଗଲେ କିମ୍ବା ପର୍ଯ୍ୟଟନ ବିଭାଗ ସ୍ବତନ୍ତ୍ର ଧ୍ୟାନ ଦେଲେ ଏଠାକୁ ଜିଲ୍ଲା ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସି ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠାରେ ବଣଭୋଜି ଓ ପିକନିକର ମଜା ନେଇପାରିବେ। ଏହି ଅଞ୍ଚଳରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଜଳପ୍ରପାତ ଏବଂ ପର୍ଯ୍ୟଟନସ୍ଥଳୀର ପୁନରୁଦ୍ଧାର ଓ ଉନ୍ନତିକରଣ କରିପାରିଲେ ଏହା ଲୋକଲୋଚନକୁ ଆସିବା ସହ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମିଥାନ୍ତା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଳାକୁ ପର୍ଯ୍ୟଟକ ମାନେ ଆସିଲେ ଏହି ସୁନ୍ଦର ସରସ ଜଳପ୍ରପାତକୁ ଉପଭୋଗ କରିବା ସହିତ ସ୍ଥାନୀୟ ଜନଜାତିଙ୍କ ଐତିହ୍ୟ ପରମ୍ପରା ସମ୍ପର୍କରେ ବହୁତ କିଛି ଜାଣିପାରନ୍ତେ। ଏହା ସହିତ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ଆଗମନ ଦ୍ବାରା ଜିଲ୍ଲାର ରାଜସ୍ଵରେ ଅଭିବୃଦ୍ଧି ଘଟିବ । ଜିଲ୍ଲାରେ ଅନେକ ଲୁକ୍କାୟିତ ପର୍ଯ୍ୟଟନସ୍ଥଳୀ ଲୋକଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଉଛି। ଜିଲ୍ଲା ପ୍ରଶାସନର ଅଣଦେଖା ଯୋଗୁଁ ଏହା ଲୋକଲୋଚନକୁ ଆସି ପାରୁନାହିଁ। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟୀ, ଗୁରୁପ୍ରିୟା ସେତୁ ସହ ଲୁଚି ରହିଥିବା ଏହିସବୁ ପର୍ଯ୍ୟଟନ ସ୍ଥଳୀ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବରେ ସୁନାମ ଅର୍ଜନ କରିବା ସହ ପର୍ଯ୍ୟଟକଙ୍କ ଆଗମନରେ ସହସ୍ରାଧିକ ରାଜସ୍ବ ମଧ୍ୟ ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏ ସମ୍ପର୍କରେ କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁଙ୍କୁ ପଚାରିବାରୁ ଯଦି ଆମ ଅଞ୍ଚଳରେ ଏପରି କିଛି ପର୍ଯ୍ୟଟନସ୍ଥଳୀ ରହିଛି। ତାହେଲେ ଆଗାମୀ ଦିନରେ ନିଶ୍ଚିତ ଏହାର ଉନ୍ନତିକରଣ କରାଯିବା ନେଇ ପ୍ରୟାସ କରିବୁ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande