
ଜୟପୁର, ୩ ଜାନୁଆରୀ (ହି.ସ.)-ଆଜି ପୌଷ ପୂର୍ଣ୍ଣିମା ବା ପୁଷ ପୂନି ଛେର୍ଛେରା ପର୍ବ ପାଳିତ ହୋଇଥିବା ବେଳେ, ଆଦିବାସୀ ବହୁଳ କୋରାପୁଟ ଜିଲାରେ ପୂର୍ବଭଳି ଆଉ ଲୋକଙ୍କ ମଧ୍ୟରେ ଏହି ପର୍ବପାଇଁ ଯେଉଁ ଉତ୍ସାହ ଥିଲା ତାହା ଏବେ ପରିଲକ୍ଷିତ ହେଉନାହିଁ ଓ ପୁଷପୁନି ପର୍ବ ଏକ କୃଷି ଭିତିକ ପର୍ବ ଓ ଏହାର ଏକ ସ୍ୱତନ୍ତ୍ରତା ରହିଛି ହେଲେ
ଦିନକୁ ଦିନ ପାଶ୍ଚାତ୍ୟ ସଂସ୍କୃତିର କାୟାବିସ୍ତାର ଯୋଗୁଁ ଏବେ ଆଉ ପୂର୍ବଭଳି ଦେଖିବାକୁ ମିଳୁନି ଲୋକଙ୍କ ମଧ୍ୟରେ ଆଗ୍ରହ । ଅବିଭକ୍ତ କୋରାପୁଟ ଜିଲାରେ ପାଳିତ ହୋଇ ଆସୁଥିବା ଏହି ପୁଷପୁନି ତିହାରର ଏକ ସ୍ୱତନ୍ତ୍ରତା ରହିଛି ଏବଂ ଏହା ଏକ କୃଷି ଭିତ୍ତିକ ପର୍ବ ଭାରତରେ ପାଳିତ ହୋଇ ଆସୁଛି । ଚାଷୀ ଏହି ସମୟରେ ଅମଳ କରିଥିବା ଧାନକୁ ନେଇ ଆସିଥାଏ । ଯେଉଁ ଶ୍ରମିକ ମାନେ ମାଲିକ ମାନଙ୍କ ପାଖରେ ହଳିଆ ଶ୍ରମିକ କାମ କରୁଥାନ୍ତି ଏହି ଦିନ ପୂର୍ବରୁ ସେମାନେ ମାଲିକ ଠାରୁ ମୁକୁଳିବା ସହ ଖଳାଛେଦ ନିସ୍ତାର ସହ ଅନ୍ୟାନ୍ୟ ବ୍ୟବହାରିକ ସାମଗ୍ରୀ ନେଇ ଏହି ତିହାରକୁ ପାଳନ କରିଥାନ୍ତି । ଏହି ପୁଷପୁନି ତିହାର ପରେ ପରେ ମାଘ ମାସରୁ ପୁଣି ଏହି ଶ୍ରମିକ ତାର ମାଲିକ ପାଖରେ କାମ କରିବା ପାଇଁ ଚୁକ୍ତି କରିଥାଏ । ମୁଣ୍ଡର ଝାଳକୁ ତୃଣ୍ଡରେ ମାରି ଖରା ବର୍ଷାରେ ଅକ୍ଲାନ୍ତ ପରିଶ୍ରମ କରି କ୍ଲାନ୍ତିକୁ ଉପଶମ କରିବା ପାଇଁ ଏହି ଦିନ ବିଭିନ୍ନ ରକମର ବିଭିନ୍ନ ପିଠାପଣା ସହ ସ୍ୱତନ୍ତ୍ର ଭାବରେ ମଣ୍ଡାପିଠା ତିଆରି କରି ସେ ନିଜେ ଏବଂ ତାର ପଡୋଶୀ ମାନଙ୍କୁ ପୁଷପୁନି ପିଠା ଦେଇ ଭାଇଚାରାର ସମ୍ପର୍କକୁ ସୁଦୃଢ କରିଥାଏ । ଏହି ଦିନ ଗ୍ରାମର ପୁରୁଣା ବୃଦ୍ଧମାନେ ଗ୍ରାମର ଛୋଟଛୋଟ ଶିଶୁମାନଙ୍କୁ ନେଇ ପୁଷପୁନି ଛେରଛେରା ମାଗିଥାନ୍ତି । ଏହି ଛେରଛେରା ମାଗିବା
ସମୟରେ ଗ୍ରାମ୍ୟ ଜୀବନରେ ପ୍ରତିଫଳିତ ହେଉଥିବା ବିଭିନ୍ନ ଗୀତ ଗାଇ ବିଭିନ୍ନ ବାଦ୍ୟର ତାଳେତଳେ ନୃତ୍ୟ କରିଥାନ୍ତି ଯାହା ଗ୍ରାମୀଣ ଜୀବନର ଅନ୍ୟ ଏକ ସ୍ୱତନ୍ତ୍ରତା ରହିଛି । କିନ୍ତୁ, ବର୍ତମାନ ପୌରାଣିକ ଆଖ୍ୟା ଓ ଗ୍ରାମ୍ୟ ଜୀବନରେ ଭାଇଚାରାର ସମ୍ପର୍କକୁ ସୁଦୃଢ କରି ଆସୁଥିବା କୋରାପୁଟ ଜିଲାର ଏହି ମହାନ ପର୍ବ ଆଗ ପରି ଆଉ ପାଳିତ ହେଉନାହିଁ । ଏହି ମହାନ ପର୍ବ ଅପସଂସ୍କୃତି ଓ ଆଧୁନିକତା ଯୋଗୁଁ ଧିରେ ଧିରେ ହରେଇବାକୁ ବସିଲାଣି । ପାଶ୍ଚାତ୍ୟ ସଭ୍ୟତା, ସଂସ୍କୃତି, ବେଶ ଓ ପୋଷାକ ସହ ଆଧୁନିକତା ଖାଦ୍ୟରେ କବଳିତ ହୋଇ ଆଜିର ମଣିଷ ତା'ର ପୂର୍ବ ସଂସ୍କୃତିକୁ ଭୁଲି ଯାଇ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇ ନେଉଛି । ପୂର୍ବରୁ ଥିବା ଆମର ସଂସ୍କୃତିକ, ଐତିହ୍ୟ ଓ ପରମ୍ପରାକୁ ଲୋକେ ଭୂଲି ଗଲେଣି । ଆଦିବାସୀ ଗ୍ରାମ୍ୟ ଜୀବନକୁ ସରସ ସୁନ୍ଦର କରି ଆସୁଥିବା ଏବଂ ଛେରଛେରା ଗୀତ ଗାଉଥିବା ପରି ଲୋକ ସଙ୍ଗିତକୁ ମଧ୍ୟ ଆଜିର ସମାଜ ଭୂଲିଯାଇ ଏହି ଦିନରେ ଡିଜେ ଭଳି ବାଦ୍ୟର ତାଳେ ତାଳେ ନିଜକୁ ହଜେଇ ଦେଉଛି । ଏହି ମହାନ ପର୍ବକୁ ବଞ୍ଚାଇ ରଖିବାକୁ ଯଦି ସମୟ ଉପଯୋଗୀ ପଦକ୍ଷେପ ଗ୍ରହଣ କରାନଯାଏ ତାହାହେଲେ ଆଗାମୀ ଦିନରେ ଏହି ମହାନ ପର୍ବ ଇତିହାସ ପୃଷ୍ଠାରେ କେବଳ ସୀମିତ ହୋଇ ରହିଯିବ । ଆଗାମୀ ପିଢି ଏହି ତିହାର ଉପରେ କେବଳ ଲୋକେ କହୁଥିବା କଥା ଶୁଣିବେ କିନ୍ତୁ ଏହାର ବାସ୍ତବତା ଉପରେ କିଛି ଜାଣି ପାରିବେନାହିଁ । ଆଦିବାସୀ ଅଞ୍ଚଳ କୋରାପୁଟ ଜିଲାରେ ଚାଲି ଆସୁଥିବା ବିଭିନ୍ନ ତିହାର ସଂସ୍କୃତି ଓ ପରମ୍ପରା ଉପରେ କିପରି ବଞ୍ଚିବ ସେଥିପାଇଁ ସଚେତନ ନାଗରିକ ସହ ସରକାର ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି