
ପୁରୀ, ୩ ଜାନୁଆରୀ (ହି.ସ.)- ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ବ୍ରହ୍ମଗିରି କ୍ଲବ୍ ପକ୍ଷରୁ ନୂଆବର୍ଷକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଚିଲିକା ଓ ବ୍ରହ୍ମଗିରି ଅଞ୍ଚଳରେ ଅତିଥି ପକ୍ଷୀଙ୍କ ସୁରକ୍ଷା ଓ ପରିବେଶ ରକ୍ଷା କରିବା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ଚିଲିକା ନିକଟବର୍ତ୍ତୀ ଗ୍ରାମ ଗୁଡିକରେ କରାଯାଇଥିଲା । ସୁନାମୁହିଁ ଛକରୁ ଏକ ଶୋଭାଯାତ୍ରା ବାହାରି, ମାଛିଆ ଦିହାଣ୍ଡି, ମୁଦିରଥ, କରିମପୁର, ବୋରୋକୁଦା, ବାଘଲାଞ୍ଜି, ନହରବାଲି, କୂଅପଦା, ମାତଲାପୁର ଆଦି ଅନେକ ଗ୍ରାମର ମୁରବି ଏବଂ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ। ପ୍ରାୟ ୫ ହଜାର ପୋଷ୍ଟର ବିଭିନ୍ନ ଗ୍ରାମର ଘର କାନ୍ଥରେ ଲଗାଯାଇଥିଲା । ବିଦେଶୀ ଅତିଥି ପକ୍ଷୀଙ୍କୁ ନମାରିବା ପାଇଁ ବ୍ରହ୍ମଗିରି କ୍ଲବ ଅନୁରୋଧ କରିଥିଲା । ଚିଲିକାକୁ ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଋଷିଆ, କାଷ୍ପିଆନ ହ୍ରଦ, ମଙ୍ଗୋଲିଆ, ହିମାଳୟ ଅଞ୍ଚଳର ବିବିଧ ପ୍ରକାର ପକ୍ଷୀ ଖାଦ୍ୟ ଅନ୍ଵେଷଣ ଅଣ୍ଡାଦାନ ଓ ସାମୟିକ ଆଶ୍ରୟ ପାଇଁ ଆସୁଛନ୍ତି ।
ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ। ଯୁବ ଆଇନଜୀବୀ ଭାସ୍କରଜେନା,ଦିଗମ୍ବର ବେହେରା, ଭୀମସେନ ସ୍ଵାଇଁ, ଗୁଣନିଧି ବରାଳ, ଶିବପ୍ରସାଦ ପଣ୍ଡା, ଶ୍ରବଣ କୁମାର ବେହେରା, ରଞ୍ଜନ କୁମାର ଦଳାଇ, ତ୍ରିଲୋଚନ ଦଳାଇ,ପବିତ୍ର ମୋହନ ଦାସ, ଅଜୟ କୁମାର ସ୍ବାଇଁ, ବ୍ରହ୍ମଚାରୀ ପଲାଇ, ରାଜକିଶୋର ମହାରଣା, ଚିତ୍ତରଞ୍ଜନ ମହାନ୍ତି, ଅନ୍ତର୍ଯ୍ୟାମୀ ପଟ୍ଟନାୟକ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ବ୍ରହ୍ମଗିରି କ୍ଲବ୍ ସଭାପତି ବିନାୟକ ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ପକ୍ଷୀ ସୁରକ୍ଷା ପରିବେଶ ରକ୍ଷା ବାର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ