
ଭେଲୁର, 03 ଜାନୁଆରି (ହି.ସ.)- ତାମିଲନାଡୁର ଭେଲ୍ଲୁର
ଜିଲ୍ଲାର ଆନିକଟ ତାଲୁକାର ଶ୍ରୀପୁରମରେ ଅବସ୍ଥିତ ଆରିୟୁର ସ୍ୱର୍ଣ୍ଣ ମନ୍ଦିରର ଶକ୍ତି ଅମ୍ମାଙ୍କ
୫୦ତମ ଜନ୍ମଜୟନ୍ତୀ ବିଶେଷ କାର୍ଯ୍ୟକ୍ରମ ଶନିବାର ଦିନ ଧୁମଧାମରେ ପାଳନ କରାଯାଇଥିଲା। ଦେଶର
ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ବିଶେଷ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ
କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ
ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ହେଲିକପ୍ଟର ଯୋଗେ ସୁବର୍ଣ୍ଣ ଦେବାଳୟରେ ପହଞ୍ଚିଥିଲେ। ପରେ
ସେ ୫୦ତମ ଜନ୍ମଜୟନ୍ତୀ ବିଶେଷ କାର୍ଯ୍ୟକ୍ରମରେ ଅଂଶ ନେଇ ଶକ୍ତି ଅମ୍ମାଙ୍କୁ ବିଶେଷ ପୂଜା ଅର୍ପଣ
କରି ପ୍ରାର୍ଥନା କରିଥିଲେ।
ରାଧାକୃଷ୍ଣନ କହିଛନ୍ତି ଯେ, “ମୁଁ ଏଠାକୁ ପ୍ରଥମ ଥର ଆସିନି, ଗତ ଅନେକ ବର୍ଷ ଧରି ମୁଁ ଏଠାକୁ ଆସୁଛି। ଭଗବାନଙ୍କ ଶକ୍ତିଠାରୁ ବଡ଼
କୌଣସି ଶକ୍ତି ଏହି ପୃଥିବୀରେ ନାହିଁ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ
ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏଠାକୁ ଆସି ବିଶେଷ ପୂଜା ଅର୍ଚ୍ଚନା କରିଥିଲେ। କୋରୋନା କାଳରେ
ଶକ୍ତି ଅମ୍ମା ଅନେକ ପରିବାରକୁ ଭୋଜନ ସୁବିଧା ଯୋଗାଇଥିଲେ ଏବଂ କେବଳ ଏଠି ନୁହେଁ, ସେ ନିଜେ ଶ୍ରୀଲଙ୍କାକୁ ଯାଇ ସେଠାର ଲୋକମାନଙ୍କୁ ମଧ୍ୟ ସହଯୋଗ
କରିଥିଲେ।”
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ
ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଏଲ୍. ମୁରୁଗନ, ଶିଳ୍ପପତି ରମସାମୀ ଏବଂ ପୁଥିଆ ନୀତି ପାର୍ଟିର ନେତା ଏ.ସି. ଶନ୍ମୁଗମ
ମଧ୍ୟ ସାମିଲ ହୋଇଥିଲେ ।
ଉପରାଷ୍ଟ୍ରପତିଙ୍କ ଭ୍ରମଣ ସମୟରେ ଭେଲ୍ଲୁର
ବିମାନବନ୍ଦର, ଗୋଲ୍ଡେନ ଟେମ୍ପଲ ଏବଂ ସମଗ୍ର ଭେଲ୍ଲୁର
ସହରରେ ୧୧୦୦ରୁ ଅଧିକ ପୁଲିସ କର୍ମଚାରୀ ସୁରକ୍ଷା ବ୍ୟବସ୍ଥାରେ ନିଯୁକ୍ତ ଥିଲେ। ବିଶେଷତଃ
ଗୋଲ୍ଡେନ ଟେମ୍ପଲ ଆଖପାଖରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ନିଯୁକ୍ତ କରାଯାଇଥିଲା। ଡ୍ରୋନ
ଉଡ଼ାଣ ଉପରେ ମଧ୍ୟ ପ୍ରତିବନ୍ଧ ଲାଗୁ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା