

ବଲାଙ୍ଗିର, ୩ ଜାନୁଆରୀ (ହି.ସ.)- ବଲାଙ୍ଗିର ସରକାରୀ ଆୟୁର୍ବେଦ କଲେଜ ଓ ହସପିଟାଲ ପରିସରରେ ଶୁକ୍ରବାର ଏକ ନିଦାନ କେନ୍ଦ୍ର(ସେବା) ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି । ପୂର୍ବରୁ କେବଳ ଆଲୋପେଥିକ ଡାକ୍ତରଖାନାରେ ଏହି ପରୀକ୍ଷା ସୁବିଧା ଥିଲା । ଏଣିକି ଆୟୁର୍ବେଦିକ କଲେଜରେ ଖୋଲାଯାଇଥିବା ଏହି ନିଦାନ କେନ୍ଦ୍ର(ସେବା) ରେ ୩୨ ପ୍ରକାର ରକ୍ତ ଓ ଅନ୍ୟାନ୍ୟ ପେଥୋଲୋଜିକାଲ ଟେଷ୍ଟ ହୋଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମହାଲିଙ୍ଗ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ଲୋକଙ୍କ ସୁବିଧାରେ ଚିକିତ୍ସାସେବା ଉପଲବ୍ଧ କରାଇବାକୁ ଯେଉଁ ମାର୍ଗଦର୍ଶନ ଦେଇଛନ୍ତି ସେହି ଆଧାରରେ ପ୍ରତ୍ୟେକ ଆୟୁର୍ବେଦ କଲେଜ ଓ ହସପିଟାଲରେ ନିଦାନ ସେବାକେନ୍ଦ୍ର ଖୋଲାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଆୟୁର୍ବେଦ କଲେଜର ଅଧ୍ୟକ୍ଷ ଡ. ମନୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ କଲେଜର ପ୍ରଫେସର ଡା. ସୀମାଦ୍ରୀ ଭୂଷଣ ନାୟକ, ପ୍ରଫେସର ସରିତା ମହନ୍ତ, ପ୍ର.ଶିବପ୍ରସାଦ ବେହେରା, ଡା. ବୁଦ୍ଧଦେବ ମିଶ୍ର, ଡା. ଅମ୍ବୁଜ କୁମାର ବିଶ୍ୱାଳ, ଆଲୁମ୍ନି ଅସୋସିଏସନର ସଭାପତି ଡା. ବାସୁଦେବ ପତି, ଡା. ବିପିନବିହାରୀ ମିଶ୍ର, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, କଲେଜର ଡିଗ୍ରୀ ଓ ପିଜି କ୍ଲାସର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ଆସନ୍ତା ଫେବୃୟାରୀ ମାସରେ ଆୟୋଜିତ ହେବାକୁ ଥିବା ବଲାଙ୍ଗୀର ଆୟୁର୍ବେଦିକ ମହାବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ପାଳନ ପାଇଁ ମନ୍ତ୍ରୀଙ୍କ ସାଙ୍ଗରେ ଆଲୁମନି ଏସୋସିଏସନର କର୍ମକର୍ତ୍ତା ଆଲୋଚନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ