
ପୁରୀ, ୦୩ ଜାନୁଆରି (ହି.ସ.) - ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ସିଂହଦ୍ୱାର ଠାରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବ୍ୟାରିକେଡ ପୋତା ଯାଇଥିଲା । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଲୁହା ବ୍ୟାରିକେଡ ଫ୍ରେମର ତଳ ପାଦିରେ ବଡଦାଣ୍ଡ ପିଚୁ ଉପରେ କଂଟା ବାଡିଆ ଯାଇଥିଲା । ଝାଉଁ ଓ ବାଉଁଶ ବଲ୍ହା ଖୁଂଟ ବଡଦାଣ୍ଡ ଖୋଳାଯାଇ ପୋତା ଯାଇଥିଲା । ବଲ୍ହାରେ ବାଉଁଶ ବନ୍ଧାଯାଇ ଉପର ଚାଳି କୁଡିଆ ପରି ତମ୍ବୁ ଓ କନା ଛାଉଣି କରାଯାଇଥିଲା । ଭକ୍ତ ଖରା ବର୍ଷାରୁ ରକ୍ଷା ପାଇଁ ଏହି ବ୍ୟାରିକେଡ ତମ୍ବୁ କୁଡିଆ ଭିତରେ କେତେକ ସ୍ଥାନରେ ୱାଲ ଫ୍ୟାନ ଲଗାଯାଇଥିଲା । ନୂଆବର୍ଷ ଭକ୍ତ ଦର୍ଶନ ପରେ ଶନିବାର ଅପରାହ୍ନରେ ବଗଲା ଧର୍ମଶାଳା ସମ୍ମୁଖ ବଲ୍ହା ବାଉଁଶ ଖୋଲାଯାଇ ଟ୍ରାକ୍ଟରରେ ଲୋଡ କରାଯାଇ ଠିକାଦାରଙ୍କ ଷ୍ଟକ ରୁମକୁ ବାହୁଡିଥିଲା । ବାଉଁଶ ଓ ବଲ୍ହା ଖୋଲାଯାଇ ରାସ୍ତା ମଝିରେ ପଡିଥିବାରୁ ଯାତାୟାତରେ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସହରବାସୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବାଉଁଶ ଓ ବଲ୍ହାର ଦୁଇ ପାର୍ଶ୍ୱରେ ଗାଡି ମଟରସାଇକେଲ ଓ ପଥଚାରୀ ମାନେ ଯାଆଆସ କରୁଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ