ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ଏକ ତାରିଖ, ଏକ ଘଣ୍ଟା, ଏକ ସାଥ ସମୂହ ଶ୍ରମଦାନ କାର୍ଯ୍ୟକ୍ରମ
1Date-1Hour-Together-JHS
ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ଏକ ତାରିଖ, ଏକ ଘଣ୍ଟା, ଏକ


ଝାରସୁଗୁଡା, ୧ ଅକ୍ଟୋବର (ହି.ସ.)- ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନ୍ତର୍ଗତ ରାଷ୍ଟ୍ରବ୍ୟାପୀ ଏକ ତାରିଖ, ଏକ ଘଣ୍ଟା, ଏକ ସାଥେ ଆହ୍ୱାନ କ୍ରମେ ଆଜି ବ୍ରଜରାଜନଗର ପୌରପରିଷଦ ପକ୍ଷରୁ ଏକ ବ୍ୟାପକ ସମୂହ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗ ଓ ଭାଗିଦାରୀରେ ସ୍ଥାନୀୟ ପ୍ରସିଦ୍ଧ ଚଣ୍ଡୀ ମନ୍ଦିର ପରିସରରେ ଏହି ସ୍ୱଚ୍ଛତା ଅଭିଯାନ ହାତକୁ ନିଆଯାଇଥିଲା। ଏହି ଅବସରରେ ପରିବେଶ ସୁରକ୍ଷା ତଥା ସ୍ୱଚ୍ଛତା ସମ୍ପର୍କିତ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ଆକର୍ଷଣୀୟ ରଙ୍ଗୋଲି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

ଏହି ସାମୂହିକ ଶ୍ରମଦାନ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ଗୋପାଳ ସୀତାନୀ, ପିଡି-ଆରଆର ଲଳିତ ସୋରେନ, ବ୍ରଜରାଜନଗର ପୌରପରିଷଦର ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ଜିଲ୍ଲା ପର୍ଯ୍ୟଟନ ବିଭାଗର ଡେପୁଟି କଲେକ୍ଟର ସୋମେଶ ଆଚାର୍ଯ୍ୟ, ପୌରଯନ୍ତ୍ରୀ ସୁବାଷ ମିଶ୍ରଙ୍କ ସମେତ ପୌରପରିଷଦର ସମସ୍ତ ବିଭାଗୀୟ କର୍ମଚାରୀ, ସ୍ୱଚ୍ଛସାଥୀ ଏବଂ ସଫେଇ କର୍ମଚାରୀମାନେ ଉପସ୍ଥିତ ରହି ସ୍ୱତଃସ୍ଫୂର୍ତ୍ତ ଭାବେ ଶ୍ରମଦାନ କରିଥିଲେ। ଅଧିକାରୀ ଓ ଜନସାଧାରଣଙ୍କ ମିଳିତ ପ୍ରୟାସରେ ଚଣ୍ଡୀ ମନ୍ଦିର ଏବଂ ଏହାର ଆଖପାଖ ପରିବେଶକୁ ସମ୍ପୂର୍ଣ୍ଣ ଆବର୍ଜନାମୁକ୍ତ, ସ୍ୱଚ୍ଛ ଏବଂ ସୁନ୍ଦର କରାଯାଇଥିଲା।

ଏହି ଅବସରରେ ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଅଭ୍ୟାସରେ ପରିଣତ କରିବା ସହ ନିଜ ଆଖପାଖ ଅଞ୍ଚଳ ସଫା ରଖିବାକୁ ନାଗରିକମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛ ସହର, ସୁସ୍ଥ ସମାଜ ଗଠନର ସଂକଳ୍ପକୁ ଅଧିକ ସୁଦୃଢ଼ କରାଯାଇ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande