


କନ୍ଧମାଳ, ୧ ଅକ୍ଟୋବର (ହି.ସ.)- କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଆଜି ଫୁଲବାଣୀ ସ୍ଥିତ ସିଭିଲ ସର୍ଭିସ କୋଚିଂ ସେଣ୍ଟର, କନ୍ଧମାଳର ୩ୟ ବ୍ୟାଚ୍ ଆରମ୍ଭ ହୋଇଛି । ଏହି କୋଚିଂ ସେଣ୍ଟରଟି ୨୦୨୩ ମସିହା ଅଗଷ୍ଟ ୧୭ ତାରିଖରୁ ଓଡ଼ିଶା ଖଣି ନିଗମର ଆର୍ଥିକ ସହାୟତା ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ପରିଚାଳନାରେ ପ୍ରତିଷ୍ଠା ହୋଇଥିଲା । କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ କରକମଳରେ ଉଦ୍ଘାଟିତ ହୋଇଛି ୩ୟ ବ୍ୟାଚ୍। ଜିଲ୍ଲାପାଳ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ଵାଗତ କରିବା ସହ ସହଜ ଓ ସରଳ ଭାବରେ ପ୍ରେରଣାଦାୟୀ ଉଦାହରଣ କହିଥିଲେ। ନିଜର ପ୍ରସ୍ତୁତି, ଅନୁଭୂତି ବ୍ୟକ୍ତ କରିବା ସହ ତ୍ରୁଟି ସଂଶୋଧନ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରସ୍ତୁତି ସମୟରେ ସମୟର ଗୁରୁତ୍ୱ ଓ ଧୈର୍ଯ୍ୟ ସହକାରେ ନିରନ୍ତର ଅଧ୍ୟବସାୟର ମନ୍ତ୍ର ଦେଇଥିଲେ। ପ୍ରତି ୨ମାସ ଅନ୍ତରରେ ନିଜେ କୋଚିଂ ସେଣ୍ଟର ଆସି ଛାତ୍ର ଛାତ୍ରୀଙ୍କ ଗଚ୍ଛିତ ଡାଉଟ୍ କ୍ଲିୟର କରିବା ସହ ପାଠପଢ଼ାର ତଦାରଖ କରିବେ ବୋଲି କହିଥିଲେ। ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ଯୁଧିଷ୍ଠିର ମେହେର ସ୍ୱାଗତ ସମାରୋହରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଓ ପ୍ରେରଣା ଦେବା ସହ କହିଛନ୍ତି ଏହି କୋଚିଂରୁ ଏଯାବତ୍ ପ୍ରଶାସନିକ ସେବାରେ ଜଣେ ଓ ଅନ୍ୟାନ୍ୟ ସରକାରୀ ଚାକିରିରେ ୩୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ୭ ଜଣ ଛାତ୍ର ଛାତ୍ରୀ ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବା ପ୍ରବେଶିକା ପରୀକ୍ଷା ପ୍ରିଲିମ୍ ରେ କୃତକାର୍ଯ୍ୟ ହୋଇ ମେନ୍ ପାଇଁ ପ୍ରସ୍ତୁତି ହେଉଛନ୍ତି। ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୩ୟ ବ୍ୟଚ୍ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା। ସର୍ବମୋଟ ୧୨୧ଟି ଆବେଦନ ଦାଖଲ ହୋଇଥିବା ବେଳେ ଏକ ପ୍ରବେଶିକା ପରୀକ୍ଷା ଦ୍ୱାରା ୭୦ ଜଣ କୃତୀ ଛାତ୍ର ଛାତ୍ରୀଙ୍କୁ ମନୋନୀତ କରାଯାଇଛି।
କୋଚିଂ ସେଣ୍ଟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଶିବ ସୁନ୍ଦର ସାହୁ କହିଛନ୍ତି, ଚଳିତ ବର୍ଷ ଦୈନିକ ୨ଟି କ୍ଲାସ ସକାଳ ୯ରୁ ମଧ୍ୟାହ୍ନ୧୨ଟା ଓ ସନ୍ଧ୍ୟା ୬ଟା ରୁ ରାତି୯ଟାରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ଵାରା ଦିଲ୍ଲୀରୁ ଅନଲାଇନ ଯୋଗେ କ୍ଲାସ ପ୍ରଦାନ କରାଯିବ ଓ ଜିଲ୍ଲାର ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମେଣ୍ଟରଶିପ ଦ୍ୱାରା ଛାତ୍ର ଛାତ୍ରୀଙ୍କୁ ଆଗାମୀ ଦିନରେ ପଢ଼ାଇବେ। ନିଃଶୁଳ୍କ ୱାଇଫାଇ, ଶୀତତାପ ନିୟନ୍ତ୍ରିତ ଶ୍ରେଣୀଗୃହ ସହ କୋଚିଂ ପାଠାଗାରର ସୁବିଧା ଛାତ୍ର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା କହିଛନ୍ତି। ଛାତ୍ର ଛାତ୍ରୀ ମାନେ ଏହି କୋଚିଂରୁ ପାଠପଢ଼ି ଆଗାମୀ ଦିନରେ କନ୍ଧମାଳ ମାଟିରୁ ପ୍ରଶାସନିକ ସେବାରେ ବହୁ ମାତ୍ରାରେ ସଫଳତା ହାସଲ କରିବାର ଉଚ୍ଚାଭିଳାଷ ପରିପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ