
ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- କ୍ୟାପଟେନ
ସ୍ମିଥ ମଚ୍ଛରଙ୍କ ସାହସକୁ ସଲାମ୍ କରିଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ସୋସିଆଲ ମିଡିଆ ଏକ୍ସରେ
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଗୁରୁତର ବିପଦ ସମୟରେ
କ୍ୟାପ୍ଟେନ୍ ସ୍ମିତ ମଚ୍ଛର ପ୍ରଦର୍ଶନ କରିଥିବା ଅସାଧାରଣ ସାହସ ଓ କର୍ତ୍ତବ୍ୟ ପ୍ରତି ତାଙ୍କର
ନିଷ୍ଠା ଗଭୀର ଭାବେ ପ୍ରେରଣାଦାୟକ। ଗୁରୁତର ଆହତ ହେବା ପରେ ମଧ୍ୟ ଅନ୍ୟମାନଙ୍କ ଜୀବନ ସୁରକ୍ଷିତ
ରଖିବାର ସଂକଳ୍ପରୁ ସେ ଦୃଢ଼ତାର ସହିତ ବିଚ୍ୟୁତ ହୋଇନଥିଲେ। ତାଙ୍କର ସାହସ ଓ ଉପସ୍ଥିତ ବୁଦ୍ଧି ଶହ
ଶହ ଜୀବନ ବଞ୍ଚାଇବା ସହ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇବାରେ ସହାୟକ ହୋଇଥିଲା। ତାଙ୍କର
ନିଃସ୍ୱାର୍ଥ ସେବା ଓ ଅଦମ୍ୟ ମନୋବଳ କର୍ତ୍ତବ୍ୟ ଓ ବଳିଦାନର ସର୍ବୋଚ୍ଚ ପରମ୍ପରାକୁ ପ୍ରତିଫଳିତ
କରେ। ଜାତି ତାଙ୍କର ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ସଲାମ କରୁଛି। ତାଙ୍କର ଶୀଘ୍ର ଆରୋଗ୍ୟ, ନୂତନ
ଶକ୍ତି ଓ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, କକ୍ପିଟ୍ ଭିତରେ ହିଂସ୍ରକ ଆକ୍ରମଣରେ ଗୁରୁତର ଆହତ ହୋଇ ମଧ୍ୟ
କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛର ଅସାଧାରଣ ସାହସ ଓ ଉପସ୍ଥିତ ବୁଦ୍ଧି ବଳରେଯାତ୍ରୀଙ୍କ ଜୀବନ ରକ୍ଷା କରି ଏକ ବଡ଼ ଦୁର୍ଘଟଣାକୁ ଟାଳି ଦେଇଛନ୍ତି।ନିଜ ଜୀବନକୁ ବାଜି ଲଗାଇ ସେ ‘ସେବା ପରମୋ ଧର୍ମ’ର ପ୍ରକୃତ ଆଦର୍ଶ ଦେଖାଇଛନ୍ତି।
କର୍ତ୍ତବ୍ୟ ପାଳନରେ ବହିଥିବା ତାଙ୍କ ରକ୍ତର ପ୍ରତିଟି ବିନ୍ଦୁ ତାଙ୍କ ବୀରତ୍ୱ ଓ ସର୍ବୋଚ୍ଚ
ତ୍ୟାଗର ସାକ୍ଷୀ।ଏହି ବୀର ସନ୍ତାନଙ୍କୁ ସମଗ୍ର ଓଡ଼ିଶାବାସୀଙ୍କ
ତରଫରୁ ପ୍ରଣାମ ଜଣାଇବା ସହ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ବିନମ୍ର ପ୍ରାର୍ଥନା କରୁଛି।
ଉପମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଅକଳ୍ପନୀୟ ବିପଦର ସମ୍ମୁଖୀନ ହୋଇ ଭାରତୀୟ ପାଇଲଟ୍
କ୍ୟାପ୍ଟେନ୍ ସ୍ମିତ ମଚ୍ଛର ଯେଉଁ ସାହସ ପ୍ରଦର୍ଶନ କରିଛନ୍ତି, ତାହା ସବୁଦିନ ପାଇଁ ଆମ ଜାତିର ସ୍ମୃତିରେ ଅମର
ହୋଇ ରହିବ। ଏକ ନିର୍ମମ ଆକ୍ରମଣରେ ଗୁରୁତର ଭାବେ ଆହତ ହେବା ସତ୍ତ୍ୱେ ସେ ଅଦମ୍ୟ ସାହସର ସହ
ଆକ୍ରମଣକାରୀଙ୍କ ପ୍ରତିରୋଧ କରିଥିଲେ। ସେ କକପିଟ୍ର ଦ୍ୱାର ଖୋଲି ଦେବା ସହ ଯାତ୍ରୀ ଓ ବିମାନ
କର୍ମଚାରୀମାନଙ୍କୁ ଆକ୍ରମଣକାରୀଙ୍କୁ କାବୁ କରିବାରେ ସକ୍ଷମ କରିଥିଲେ। ତାଙ୍କର ନିଃସ୍ୱାର୍ଥ
ସାହସ ଯୋଗୁଁ ଆକାଶମାର୍ଗରେ ଘଟିଥିବା ଏକ ଭୟାବହ ବିପର୍ଯ୍ୟୟକୁ ଏଡ଼ାଇବା ସମ୍ଭବ ହୋଇଥିଲା ଏବଂ
୧୭୪ ଜଣ ସହନାଗରିକଙ୍କ ଜୀବନ ସୁରକ୍ଷିତ ରହିଥିଲା। ତାଙ୍କର ବୀରତ୍ୱକୁ ମୁଁ ଗଭୀର ଶ୍ରଦ୍ଧାର ସହ
ନମନ କରୁଛି ଏବଂ ତାଙ୍କର ଶୀଘ୍ର ସୁସ୍ଥତା ପାଇଁ ସମଗ୍ର ଦେଶ ସହ ପ୍ରାର୍ଥନା କରୁଛି। ତାଙ୍କର
ବୀରତ୍ୱ ଆକାଶପଥର ଭାରତୀୟ ସୁରକ୍ଷା ପ୍ରହରୀମାନଙ୍କ ଶକ୍ତି ଓ ଦୃଢ଼ତାର ଏକ ଉଜ୍ଜ୍ୱଳ ପ୍ରମାଣ।
ସ୍ୱାସ୍ଥ୍ୟମନ୍ତ୍ରୀ
ଡ.ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଗୁରୁତର ବିପଦ ସମ୍ମୁଖୀନ ହୋଇ
କ୍ୟାପ୍ଟେନ୍ ସ୍ମିତ ମଚ୍ଛର ପ୍ରଦର୍ଶନ କରିଥିବା ଅସାଧାରଣ ସାହସ ଓ କର୍ତ୍ତବ୍ୟ ପ୍ରତି ତାଙ୍କର
ଅବିଚଳ ନିଷ୍ଠା ନିଃସ୍ୱାର୍ଥ ସେବାର ଏକ ଅନନ୍ୟ ଉଦାହରଣ। ଗୁରୁତର ଭାବେ ଆହତ ହେବା ସତ୍ତ୍ୱେ
ମଧ୍ୟ ସେ ଅନ୍ୟମାନଙ୍କ ସୁରକ୍ଷା ଉପରେ ନିଜର ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ ରଖିଥିଲେ। ତାଙ୍କର
ଅଦ୍ଭୁତ ସାହସ, ଉପସ୍ଥିତ ବୁଦ୍ଧି
ଓ ଦୃଢ଼ ସଂକଳ୍ପ ଏହି ଘଟଣାରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି।
ତାଙ୍କର ସାହସିକ
ପଦକ୍ଷେପ ଏକ ବଡ଼ ବିପର୍ଯ୍ୟୟକୁ ରୋକିବା ସହ ଅସଂଖ୍ୟ ଜୀବନକୁ ସୁରକ୍ଷିତ ରଖିବାରେ ସହାୟକ
ହୋଇଛି। ଜାତି ତାଙ୍କର ସାହସ, ବଳିଦାନ ଓ କର୍ତ୍ତବ୍ୟନିଷ୍ଠାକୁ ସଲାମ କରୁଛି। କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ଶୀଘ୍ର
ଆରୋଗ୍ୟ, ନୂତନ ଶକ୍ତି ଓ ସୁସ୍ଥ ସ୍ୱାସ୍ଥ୍ୟ କାମନା
କରୁଛି।
ବିରୋଧୀ ଦଳ ନେତା
ନବୀନ ପଟ୍ଟନାୟକ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଫ୍ଲାଏ ଦୁବାଇ ବିମାନରେ
ଯାତ୍ରୀମାନଙ୍କ ଜୀବନ ବଞ୍ଚାଇବା ପାଇଁ ଅସାଧାରଣ ସାହସ ଓ ତ୍ୱରିତ ପଦକ୍ଷେପ ପ୍ରଦର୍ଶନ କରିଥିବା
ଭାରତୀୟ କ୍ୟାପ୍ଟେନ୍ ସ୍ମିଥ ମଚ୍ଛାରଙ୍କୁ ସଲାମ। ଗୁରୁତର ଭାବେ ଆହତ ହୋଇଥିବା ସତ୍ତ୍ୱେ ମଧ୍ୟ
ସେ ଆକାଶରେ ଯାତ୍ରୀମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ସହ-ପାଇଲଟ୍ଙ୍କୁ ପ୍ରତିରୋଧ କରିଥିଲେ। ତାଙ୍କର
ସାହସ ଓ ମାନବିକତା ପାଇଁ ଭାରତ ଗର୍ବିତ। ତାଙ୍କର ଶୀଘ୍ର ଆରୋଗ୍ୟ ଓ ସୁସ୍ଥ ସ୍ୱାସ୍ଥ୍ୟ କାମନା
କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା