
ଘଟଗାଁ, ୧ ଅକ୍ଟୋବର (ହି.ସ.)- ଚିର ନିଦ୍ରାରେ ଶୋଇଗଲେ ମା ତାରିଣୀ ମନ୍ଦିରର ମୁଖ୍ୟ ପୂଜକ ମୋହନ ଚରଣ ଦେହୁରୀ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଶେଷ ଦର୍ଶନ ଲାଗି ଆସିଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ୮୨ ବର୍ଷ ବୟସରେ ମନ୍ଦିର ମୁଖ୍ୟ ପୂଜକଙ୍କ ପରଲୋକ ଘଟିଛି।
ସୂଚନା ଥାଉକି କେନ୍ଦୁଝର ଆରାଧ୍ୟ ଦେବୀ ଘଟଗାଁ ମା ତାରିଣୀ ମନ୍ଦିର ମୁଖ୍ୟ ପୂଜକ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ମଙ୍ଗଳବାର ରାତିରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ତେବେ ଭୋର ୪ଟାରେ ତାଙ୍କର ପରଲୋକ ଘଟିଥିଲା l ମୃତ୍ୟୁ ସମୟରେ ବଡ଼ ପୁଅ ଖଗେଶ୍ୱର ଦେହୁରୀ, ସାନ ପୁଅ ସର୍ବେଶ୍ୱର ଦେହୁରୀ, ପୁତୁରା ପ୍ରଦୀପ କୁମାର ଦେହୁରୀ, ନାତି ସୃଷ୍ଟି ନାରାୟଣ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ l ପରେ ତାଙ୍କୁ ଗୋଳାବନ୍ଧ ବାସଭବନକୁ ନିଆଯାଇଥିଲା l ଖବର ପାଇ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ପଟ୍ଟନାୟକ, ଉଦ୍ୟୋଗପତି ସେକ ଇମ୍ରାନ, ବରିଷ୍ଠ ନାଗରିକ ଅଭିମନ୍ୟୁ ତ୍ରିପାଠୀ, ପ୍ରେସ କ୍ଲବର ଉପସଭାପତି କୂଳମଣି ନାଏକ ପ୍ରମୁଖ ମରଶରୀର ଉପରେ ପୁଷ୍ପ ଗୁଛ ଦେବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ l ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ଗାଁ ଶ୍ମଶାନ ପଡିଆକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ବଡ଼ ପୁଅ ଖଗେଶ୍ୱର ମୁଖାଗ୍ନି ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ