
ଜୟପୁର, ୧ ଅକ୍ଟୋବର (ହି.ସ.)- ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଜୟପୁର ସିଟି ହାଇସ୍କୁଲର ଛାତ୍ରଛାତ୍ରୀ, ସିୱା ର ସଦସ୍ୟ ଏବଂ ଜୟପୁର ସାଇକ୍ଲିଂ କ୍ଲବର ସଦସ୍ୟମାନଙ୍କ ମିଳିତ ଉଦ୍ୟମରେ ଏକ ସାଇକେଲ ସଚେତନତା ରାଲି ଆୟୋଜିତ ହୋଇଥିଲା। ରାଲିରେ ସାମିଲ ହୋଇଥିବା ସାଇକେଲ ଆରୋହୀମାନେ ଡାଲିମ୍ବଗୁଡ଼ା, ହରିଶ୍ଚନ୍ଦ୍ରଗୁଡ଼ା ଓ ଦୁଲିଗୁଡ଼ା ଗ୍ରାମ ପରିକ୍ରମା କରିଥିଲେ। ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ସେମାନେ ଗ୍ରାମବାସୀଙ୍କୁ ସ୍ୱେଚ୍ଛାରେ ରକ୍ତଦାନ କରିବା ପାଇଁ ଆହ୍ୱାନ କରିଥିଲେ। ଆବଶ୍ୟକ ସମୟରେ ରକ୍ତର ଅଭାବ ଯୋଗୁଁ ଯେପରି କୌଣସି ଜୀବନ ବିପଦରେ ନ ପଡ଼େ, ସେଥିପାଇଁ ସମସ୍ତେ ରକ୍ତଦାନ ପ୍ରତି ଆଗ୍ରହୀ ହେବାକୁ ରାଲିରେ ଅନୁରୋଧ କରାଯାଇଥିଲା।ଏହି ସମୟରେ ଡାଲିମ୍ବଗୁଡ଼ା ଗ୍ରାମର ଜଗବନ୍ଧୁ ମାଝି, ଯିଏ ଏବି ପଜିଟିଭ ରକ୍ତଗୋଷ୍ଠୀର, ସେ ପୂର୍ବରୁ ରକ୍ତଦାନ କରିଥିବା ଏବଂ ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ମଧ୍ୟ ରକ୍ତଦାନ କରିବାକୁ ପ୍ରସ୍ତୁତ ଥିବା କହିଥିଲେ। ରାଲିର ପଥରେ ଜଣେ ଦମ୍ପତି ମଧ୍ୟ ସ୍ୱେଚ୍ଛାରେ ଆଗେଇ ଆସି ଆବଶ୍ୟକ ସମୟରେ ରକ୍ତଦାନ କରିବାକୁ ନିଜର ସମ୍ମତି ପ୍ରକାଶ କରିଥିଲେ। ଏହା ରାଲିର ଉଦ୍ଦେଶ୍ୟକୁ ଅଧିକ ସଫଳ ଓ ପ୍ରେରଣାଦାୟକ କରିଥିଲା।ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରତାପ କୁମାର ପଟ୍ଟନାୟକ, କେ. ମୋହନ ରାଓ, ଜି. ଅଜୟ କୁମାର, ଆୟୁଷ ପଟ୍ଟନାୟକ, ଦେବ ବାହାଦୁର, ମୋହିତ ଭାର୍ଗବ, ସି ଏଚ ସୁପ୍ରିୟା, ଏ. ଜ୍ଞାନେଶ୍ୱରୀ, ଏସ ଭାର୍ଗବୀ, ଏ. ହରିଣୀଙ୍କ ସମେତ ବହୁ ଛାତ୍ରଛାତ୍ରୀ, ସଦସ୍ୟ ଓ ସାଇକେଲ ଆରୋହୀ ଯୋଗଦେଇଥିଲେ। ରକ୍ତଦାନ ଏକ ମହତ୍ ମାନବୀୟ ସେବା ଏବଂ ଜଣେ ବ୍ୟକ୍ତିଙ୍କ ସ୍ୱେଚ୍ଛା ରକ୍ତଦାନ ଅନ୍ୟ ଜଣଙ୍କ ଜୀବନ ରକ୍ଷାରେ ସହାୟକ ହୋଇପାରେ ବୋଲି ଏହି ରାଲି ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି