
ଭୁବନେଶ୍ୱର, 01 ଅକ୍ଟୋବର (ହି.ସ.)- ଜାତୀୟ
ସ୍ୱେଚ୍ଛାକୃତ ରକ୍ତଦାନ ଦିବସରେ ରକ୍ତଦାତାମାନଙ୍କ ସେବାଭାବକୁ ସମ୍ମାନ ଜଣାଇଛନ୍ତି ରାଜ୍ୟପାଳ,
ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜାତୀୟ
ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ, ଆବଶ୍ୟକତାରେ ଥିବା ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଉଥିବା ନିଃସ୍ୱାର୍ଥପର ସ୍ୱେଚ୍ଛାକୃତ
ରକ୍ତଦାତାମାନଙ୍କ ସେବାଭାବକୁ ସମ୍ମାନ ଜଣାଇବା। ସେମାନଙ୍କ ଉଦାରତା ଦୟା, ମାନବିକତା ଓ ସେବାର ମୂଲ୍ୟବୋଧକୁ ପ୍ରତିଫଳିତ କରେ। ଏଥିସହ ଏହା ଆମକୁ
ମନେ ପକାଇ ଦିଏ ଯେ, ଆମର ଏକ
ସରଳ ଦାନର ପଦକ୍ଷେପ ଜୀବନ ବଞ୍ଚାଇବାରେ ଏକ ଅର୍ଥପୂର୍ଣ୍ଣ ପାର୍ଥକ୍ୟ ଆଣିପାରେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ
ସମସ୍ତ ରକ୍ତଦାତା ଏବଂ ଏହି ମହତ୍ କାର୍ଯ୍ୟରେ ସେବା ଯୋଗାଉଥିବା ସମସ୍ତ ସଂଗଠନକୁ ମୋର ହୃଦୟରୁ
ଶୁଭେଚ୍ଛା ଜଣାଉଛି। ପ୍ରତ୍ୟେକ ରକ୍ତଦାନ ଏକ ମୂଲ୍ୟବାନ ଜୀବନ ବଞ୍ଚାଇପାରେ।‘ଅଟଳ ରକ୍ତଦାନ
ଅଭିଯାନ’ ଭଳି ପଦକ୍ଷେପ ଓଡ଼ିଶାରେ ସ୍ୱେଚ୍ଛାକୃତ ରକ୍ତଦାନକୁ ଆହୁରି ସୁଦୃଢ଼ କରୁଛି। ଆସନ୍ତୁ, ଆମେ
ରକ୍ତଦାନ କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିବାକୁ ପ୍ରେରିତ
କରିବା।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ
ଦିବସ ଅବସରରେ, ଯେଉଁଠି ଏହାର ସର୍ବାଧିକ ଆବଶ୍ୟକତା ରହିଛି, ସେଠାରେ
ଆମର ମାନବିକତା ଓ ସମବେଦନାର ପ୍ରବାହ ଜାରି ରହୁ। ଆପଣଙ୍କର ଏକ ସରଳ ଦାନ କାହାରୋ ଜୀବନ ପାଇଁ
ଆଶାର ଆଲୋକ ଓ ଜୀବନରକ୍ଷାର ଆଧାର ପାଲଟିପାରେ। ରକ୍ତଦାନ କରନ୍ତୁ। ଆଶା ବାଣ୍ଟନ୍ତୁ। ଜୀବନ
ବଞ୍ଚାନ୍ତୁ।
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ
ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ
ଅବସରରେ ସମସ୍ତ ମହାନ ରକ୍ତଦାତା ଓ ସ୍ୱେଚ୍ଛାସେବୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ
ଅଭିନନ୍ଦନ। ଆସନ୍ତୁ, ନିୟମିତ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ମହତ
କାର୍ଯ୍ୟରେ ସାମିଲ ହେବା ପାଇଁ ସଚେତନ ଓ ପ୍ରୋତ୍ସାହିତ କରିବା।
ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବହୁମୂଲ୍ୟ ଜୀବନ ବଞ୍ଚାଇବାରେ
ରକ୍ତଦାତାଙ୍କ ନିଷ୍ଠା ଅତୁଳନୀୟ। ବିଜୁ ଜନତା ଦଳର ସରକାରରେ 'ଜୀବନ ବିନ୍ଦୁ' ପରି କାର୍ଯ୍ୟକ୍ରମ ରକ୍ତଦାନକୁ ପ୍ରୋତ୍ସାହିତ କରିବାରେ ବଳିଷ୍ଠ ଭୂମିକା
ଗ୍ରହଣ କରିଥିଲା। ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ଅବସରରେ ସମସ୍ତ ରକ୍ତଦାତାଙ୍କୁ ମୋର
ଶୁଭେଚ୍ଛା ଓ ସାଧୁବାଦ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା