
ଲାହୋର (ପଞ୍ଜାବ), ପାକିସ୍ତାନ, ଅକ୍ଟୋବର 1 (ହି.ସ)। ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ୧୦ ଦିନିଆ ବସନ୍ତ ଉତ୍ସବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ଉତ୍ସବ ଆସନ୍ତାବର୍ଷ ୨୯ ଜାନୁଆରୀରୁ ୭ ଫେବୃଆରୀ ମଧ୍ୟରେ ରାଜଧାନୀ ଲାହୋରରେ ପାଳନ କରାଯିବ। ମରିୟମ ଏକ ବିବୃତିରେ କହିଛନ୍ତି ଯେ, ବସନ୍ତ ଉତ୍ସବ ଦ୍ୱାରା ପଞ୍ଜାବର ଐତିହାସିକ ସାଂସ୍କୃତିକ ପରମ୍ପରାକୁ ପ୍ରୋତ୍ସାହନ ମିଳିବ। ଉତ୍ସବ ସମୟରେ ନାଗରିକଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
‘ଦ ନ୍ୟୁଜ୍’ର ରିପୋର୍ଟ ଅନୁଯାୟୀ, ପଞ୍ଜାବର ସୂଚନାମନ୍ତ୍ରୀ ଅଜମା ବୁଖାରୀ ବୁଧବାର ନିଜର ଅଧିକାରିକ ଏକ୍ସ ହ୍ୟାଣ୍ଡେଲରେ ୧୦ ଦିନିଆ ବସନ୍ତ ଉତ୍ସବ ସମ୍ପର୍କରେ ସୂଚନା ସେୟାର କରିଛନ୍ତି। ପଞ୍ଜାବର ମନ୍ତ୍ରୀ କହିଛନ୍ତି ଯେ, କାଶ୍ମୀର ଦିବସ କାରଣରୁ ଫେବୃଆରୀ ୫ ତାରିଖରେ ବସନ୍ତ ଉତ୍ସବକୁ ଗୋଟିଏ ଦିନ ପାଇଁ ବନ୍ଦ ରଖାଯିବ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମରିୟମ ୧୮ ବର୍ଷର ବ୍ୟବଧାନ ପରେ ଲାହୋରରେ ୧୨ରୁ ୧୪ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ତିନି ଦିନିଆ ବସନ୍ତ ଉତ୍ସବ ଆୟୋଜନ କରିବାକୁ ଘୋଷଣା କରିଥିଲେ।
ସେ ଏକ ଏକ୍ସ ପୋଷ୍ଟରେ କହିଥିଲେ ଯେ, ଲାହୋର ପୁଣି ଥରେ ରଙ୍ଗ, ସଂସ୍କୃତି, ଉତ୍ସବ, ସଙ୍ଗୀତ, ଉତ୍ସାହ ଏବଂ ଚମତ୍କାର ଆତିଥ୍ୟରେ ଜୀବନ୍ତ ହୋଇଉଠିବ। ପଞ୍ଜାବ ସରକାର ପତଙ୍ଗ ଉଡ଼ାଇବା ଉପରେ ଲାଗିଥିବା କଟକଣା ହଟାଇବା ପରେ ଗତ ଫେବୃଆରୀରେ ଲାହୋର ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ବସନ୍ତ ଉତ୍ସବ ପାଳନ କରିଥିଲା।
କଡ଼ା ନିୟମ ଅନୁଯାୟୀ ଆୟୋଜିତ ଏହି ତିନି ଦିନିଆ ଉତ୍ସବ ପ୍ରଦେଶର ରାଜଧାନୀରେ ଉତ୍ସବର ମାହୋଲ ସୃଷ୍ଟି କରିଥିଲା। ରାସ୍ତା ଏବଂ ଗଳିଗୁଡ଼ିକୁ ସଜାଯାଇଥିଲା। ଏହି ଅବସରରେ ସରକାର ମାଗଣା ପରିବହନ ସେବା ମଧ୍ୟ ଘୋଷଣା କରିଥିଲେ। ବରିଷ୍ଠ ପ୍ରାଦେଶିକ ମନ୍ତ୍ରୀ ମରିୟମ ଔରଙ୍ଗଜେବ ବସନ୍ତର ସଫଳ ଆୟୋଜନକୁ ଲାହୋର ଏବଂ ପାକିସ୍ତାନର ବିଜୟ ବୋଲି କହିଥିଲେ ଏବଂ ଆସନ୍ତାବର୍ଷ ଆହୁରି ଭବ୍ୟ ବସନ୍ତ ଉତ୍ସବ ଦେଖିବାକୁ ମିଳିବ ବୋଲି କହିଥିଲେ।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା