
ଜୟପୁର,
୧୦ ଅକ୍ଟୋବର (ହି.ସ.)-
ଆନ୍ତର୍ଜାତିକ ବାଳିକା ଦିବସ ଅବସରରେ ବୋରିଗୁମ୍ମାସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଳିକାମାନଙ୍କ ଅଧିକାରର ସୁରକ୍ଷା, ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଏବଂ ସମାଜରୁ ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାକୁ ଦୂର କରିବା ଉଦ୍ଦେଶ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବୋରିଗୁମ୍ମା ଥାନା ଅଧିକାରୀ ରାମାନନ୍ଦ ସାହୁ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାଶରଥି ଗୌଡ଼, ଡ. ପ୍ରଦୀପ କୁମାର ସ୍ୱାଇଁ, ଅଧ୍ୟାପିକା ସୁନିତି ପୃଷ୍ଟି ଓ ଅଧ୍ୟାପକ ଅଟଳ ବିହାରୀ ବାଜପେୟୀ ପ୍ରମୁଖ ଯୋଗଦେଇ ବାଲ୍ୟ ବିବାହର କାରଣ, ଏହାର କୁପରିଣାମ ଏବଂ ଏହାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ। ବାଲ୍ୟ ବିବାହ ଏକ ଗମ୍ଭୀର ସାମାଜିକ ସମସ୍ୟା। ଏହା ବାଳିକାମାନଙ୍କ ଶିକ୍ଷା ଗ୍ରହଣରେ ବାଧା ସୃଷ୍ଟି କରିବା ସହ ସେମାନଙ୍କ ଶାରୀରିକ, ମାନସିକ ଓ ସାମାଜିକ ବିକାଶକୁ ପ୍ରଭାବିତ କରିଥାଏ। ଅଳ୍ପ ବୟସରେ ବିବାହ ହେବା ଫଳରେ ଅନେକ ବାଳିକା ନିଜର ଶିକ୍ଷା ଅଧାରୁ ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି। ଏହା ସେମାନଙ୍କ ଆତ୍ମନିର୍ଭରଶୀଳତା, ଆର୍ଥିକ ସ୍ୱାଧୀନତା ଓ ଭବିଷ୍ୟତରେ ନିଜ ଜୀବନ ସମ୍ପର୍କରେ ସ୍ୱାଧୀନ ନିଷ୍ପତ୍ତି ନେବାର ସୁଯୋଗକୁ ସୀମିତ କରିଦିଏ। ଏହି ପରିପ୍ରେକ୍ଷୀରେ ବାଳିକାମାନଙ୍କୁ ଉପଯୁକ୍ତ ବୟସ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବାର ସୁଯୋଗ ଦେବା ସହ ସେମାନଙ୍କ ଅଧିକାର ଓ ଆଇନଗତ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଅତ୍ୟନ୍ତ ଜରୁରୀ। କେବଳ ଆଇନ ପ୍ରଣୟନ ଦ୍ୱାରା ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ନାହିଁ; ଏଥିପାଇଁ ଅଭିଭାବକ, ଶିକ୍ଷକ, ଶିକ୍ଷାନୁଷ୍ଠାନ, ପ୍ରଶାସନ ଓ ସାଧାରଣ ଜନତାଙ୍କ ମିଳିତ ସହଯୋଗ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ବାଳିକାମାନେ ସମାଜର ଭବିଷ୍ୟତ ଏବଂ ଦେଶର ପ୍ରଗତିର ମୁଖ୍ୟ ଆଧାର। ସେମାନଙ୍କୁ ଉପଯୁକ୍ତ ଶିକ୍ଷା, ସୁରକ୍ଷା ଓ ସମାନ ସୁଯୋଗ ପ୍ରଦାନ କରାଗଲେ ସେମାନେ ନିଜ ଜୀବନରେ ସଫଳତା ହାସଲ କରିବା ସହ ସମାଜ ଓ ଦେଶର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ। ତେଣୁ ବାଳିକାମାନଙ୍କୁ ଅଳ୍ପ ବୟସରେ ବିବାହ ବନ୍ଧନରେ ଆବଦ୍ଧ ନକରି ସେମାନଙ୍କୁ ଉଚ୍ଚଶିକ୍ଷା ଓ ଆତ୍ମନିର୍ଭରଶୀଳତା ଦିଗରେ ଆଗେଇ ନେବାକୁ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ବାର୍ତ୍ତା ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ସାବିତ୍ରୀ ପାତ୍ର, ସସ୍ମିତା ରାଜୁ, ସୁରେଶ ପାତ୍ର ଓ ଲକ୍ଷ୍ମୀଧର ବାରିକଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଶେଷରେ ଡ. ସୁଧାଂଶୁ ଶେଖର ପଟ୍ଟନାୟକ ଉପସ୍ଥିତ ଅତିଥି ଓ ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବାଲ୍ୟ ବିବାହମୁକ୍ତ ସମାଜ ଗଠନ ସହ ବାଳିକାମାନଙ୍କ ଶିକ୍ଷା, ସୁରକ୍ଷା ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ସଭା ଆୟୋଜନ ପାଇଁ ଥାନାର ଅନ୍ୟ ଅଧିକାରୀ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି