
ଯୋଧପୁର, ୧୦ ଅକ୍ଟୋବର (ହି.ସ.)- ଆଧୁନିକ ଯୁଦ୍ଧର ପରିବର୍ତିତ ପ୍ରକୃତିକୁ ଦୃଷ୍ଟିରେ ରଖି ବୈଷୟିକ ସାମର୍ଥ୍ୟ, ତ୍ୱରିତ ନିଷ୍ପତି ଗ୍ରହଣ ଏବଂ ନିର୍ଭୁଲ କାର୍ଯ୍ୟାନୁଷ୍ଠାନ ସାମରିକ ଶକ୍ତିର ପ୍ରମୁଖ ସ୍ତମ୍ଭ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହିତ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା, ସହ-ବିକାଶ ଏବଂ ସହ-ଉତ୍ପାଦନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରି କହିଥିଲେ ଯେ, ପ୍ରଯୁକ୍ତି ଏବଂ ପାରସ୍ପରିକ ବିଶ୍ୱାସ ଭବିଷ୍ୟତର ପ୍ରତିରକ୍ଷା ଭାଗିଦାରୀରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଶନିବାର ଦିନ ଯୋଧପୁର ବାୟୁସେନା ଷ୍ଟେସନରେ ଅନ୍ତର୍ଜାତୀୟ ବାୟୁସେନା ସମରାଭ୍ୟାସ ତରଙ୍ଗ ଶକ୍ତି-୨୦୨୬' ରେ ସେ ଯୋଗ ଦେଇଥିଲେ। ସକାଳେ ବାୟୁସେନା ଷ୍ଟେସନରେ ପହଂଚିଥିବା ପ୍ରତିରକ୍ଷା ମନ୍ତ୍ରୀ ଭାରତୀୟ ବାୟୁସେନାର କର୍ମଚାରୀ, ବନ୍ଧୁତ୍ୱପୂର୍ଣ୍ଣ ବିଦେଶୀ ଦେଶର ବାୟୁସେନା ମୁଖ୍ୟ, ସାମରିକ ଅଧିକାରୀ, ପାଇଲଟ୍ ଏବଂ ପ୍ରତିନିଧିମଣ୍ଡଳୀଙ୍କୁ ଭେଟିଥିଲେ। ଏହି ସମରାଭ୍ୟାସର ସଫଳ ପରିଚାଳନା ପାଇଁ ସେ ଭାରତୀୟ ବାୟୁସେନା ଏବଂ ଏହା ସହିତ ଜଡ଼ିତ ସମସ୍ତ ଅନୁଷ୍ଠାନ ଏବଂ ସଂଗଠନକୁ ଅଭିନନ୍ଦନ ଜଣାଇଥିଲେ।
ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ବହୁରାଷ୍ଟ୍ରୀୟ ସାମରିକ ସମରାଭ୍ୟାସ ବିଭିନ୍ନ ଦେଶର ବାୟୁସେନାକୁ ପରସ୍ପରର ଅଭିଜ୍ଞତା, କୌଶଳ ଏବଂ ରଣନୀତି ବୁଝିବା ପାଇଁ ସୁଯୋଗ ପ୍ରଦାନ କରିଥାଏ। ଏହା ପାରସ୍ପରିକ ବିଶ୍ୱାସକୁ ବୃଦ୍ଧି କରିଥାଏ ଏବଂ ପରିଚାଳନାଗତ ସମନ୍ୱୟକୁ ସୁଦୃଢ଼ କରିଥାଏ।
ସେ କହିଥିଲେ ଯେ, ଆଧୁନିକ ଯୁଦ୍ଧର ପ୍ରକୃତି ଦ୍ରୁତ ଗତିରେ ବଦଳୁଛି। ବର୍ତମାନ ଯୁଦ୍ଧ କେବଳ ସ୍ଥଳ, ଜଳ ଏବଂ ବାୟୁ ମଧ୍ୟରେ ସୀମିତ ନାହିଁ, ବରଂ ମହାକାଶ, ସାଇବର ସ୍ପେସ୍, ବିଦ୍ୟୁତ୍ ଚୁମ୍ବକୀୟ ସ୍ପେକ୍ଟ୍ରମ ଏବଂ ସୂଚନା ସ୍ପେସ୍ ମଧ୍ୟ ଏହାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏ. ଆଇ.), ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ ଏବଂ ଦୂରଗାମୀ ନିର୍ଭୁଲ ଷ୍ଟ୍ରାଇକ୍ ଅସ୍ତ୍ରଶସ୍ତ୍ର ଯୁଦ୍ଧର ପ୍ରକୃତି ଏବଂ ଗତିକୁ ବଦଳାଇ ଦେଇଛି।
ଭବିଷ୍ୟତରେ ସାମରିକ ଶକ୍ତି କେବଳ ଅସ୍ତ୍ରଶସ୍ତ୍ର ସଂଖ୍ୟା ଦ୍ୱାରା ଆକଳନ କରାଯିବ ନାହିଁ, ବରଂ ଶତ୍ରୁର ଗତିବିଧିକୁ ବୁଝିବା, ତ୍ୱରିତ ନିଷ୍ପତି ନେବା ଏବଂ ସଠିକ୍ କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ମଧ୍ୟ ନିର୍ଣ୍ଣାୟକ ହେବ ବୋଲି ଶ୍ରୀ ସିଂହ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ