
ସାହାରାନପୁର, ୧୦ ଅକ୍ଟୋବର (ହି.ସ.)- ଉତରପ୍ରଦେଶର ସାହାରାନପୁର ଜିଲ୍ଲାରେ ଶନିବାର ସକାଳେ ଦେଓବନ୍ଦରେ ଏକ ରାଜପଥ ଫ୍ଲାଇଓଭରରେ ଶାକମ୍ଭରୀ ଦେବୀଙ୍କ ମଶାଲ ପଦଯାତ୍ରାରୁ ଫେରୁଥିବା ଭକ୍ତମାନଙ୍କୁ ବାସନରେ ଭର୍ତି ଏକ କଂଟେନର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଚାରି ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଥିଲେ। ମୃତକମାନେ ମିରଟ ଜିଲ୍ଲାର ସରଧାନା ଅଂଚଳର କୁଶୱାଲି ଗାଁର ବାସିନ୍ଦା ଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି। ପୋଲିସ ଏବଂ ସ୍ଥାନୀୟ ଲୋକମାନେ ଆହତମାନଙ୍କୁ ଡାକ୍ତରଖାନା ନେଇଥିଲେ।
ସୂଚନା ପାଇବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଅରବିନ୍ଦ ଚୌହାନ ଏବଂ ଏସ୍.ଏସ୍.ପି. ଅଭିନନ୍ଦନ ସାହାରନପୁର ଜିଲ୍ଲା ଡାକ୍ତରଖାନାକୁ ଯାଇ ଆହତମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ଏବଂ ସେମାନଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ, ଅକ୍ଟୋବର ୭ ତାରିଖରେ ସର୍ଧାନା ଅଂଚଳର କୁଶୱାଲି ଗାଁର ପ୍ରାୟ ୧୯ ଜଣ ଲୋକ ଏକ ଟ୍ରାକ୍ଟର ଟ୍ରଲିରେ ଶକମ୍ଭରୀ ଦେବୀଙ୍କ ଦର୍ଶନ କରିବାକୁ ଯାଇଥିଲେ। ଶନିବାର ସକାଳ ପ୍ରାୟ ୭ଟା ବେଳେ ସମସ୍ତେ ମା 'ଙ୍କ ମଶାଲ ବହନ କରି ଚାଲିଚାଲି ଫେରୁଥିଲେ। ଏହି ସମୟରେ, ଦେଓବନ୍ଦରେ ଏକ ରାଜପଥ ଫ୍ଲାଇଓଭରରେ ବାସନ ଭର୍ତି ଏକ ଦ୍ରୁତଗାମୀ କଂଟେନର ପଛରୁ ଏକ ଟ୍ରାକ୍ଟର ଟ୍ରଲିକୁ ଧକ୍କା ଦେଇଥିଲା। ମୃତକମାନେ କୁଶୱାଲି ଗାଁର ରମେଶ (୪୦), ସାଗର (୪୦), ଅମନ (୨୩) ଏବଂ ସତେନ୍ଦ୍ର ବୋଲି ଚିହ୍ନଟ କରାଯାଇଛି। ଏହି ଦୁର୍ଘଟଣାରେ ୧୫ ରୁ ଅଧିକ ଭକ୍ତ ମଧ୍ୟ ଆହତ ହୋଇଥିଲେ। ଦୁର୍ଘଟଣାର ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଥିଲା।
ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସି. ଓ. ଅମିତ କୁମାର ସିଂହ କହିଛନ୍ତି। କ୍ୟାଂଟର୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି। ପୋଲିସ ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଛି ଏବଂ ଏହି ମାମଲାରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତମାନଙ୍କୁ ସହରାନପୁର ଏବଂ ମିରଟର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ