
ନୂଆଦିଲ୍ଲୀ, ୧୧ ଅକ୍ଟୋବର (ହି.ସ.)। ଦିଲ୍ଲୀ ପୁଲିସର ସତର୍କତାମୂଳକ ଗିରଫରୁ ମୁକ୍ତ ହେବା ପରେ କକରୋଚ୍ ଜନତା ପାର୍ଟିର ନେତା ଅଭିଜିତ ଦୀପକେ ରବିବାର ବରିଷ୍ଠ ଓକିଲ କପିଲ ସିବଲଙ୍କୁ ଭେଟିବାକୁ ଯାଇଥିଲେ। ତାଙ୍କ ସହ ସାକ୍ଷାତ୍ ପରେ ଦୀପକେ କହିଛନ୍ତି ଯେ ତାଙ୍କ ଜେଜେମା’ଙ୍କ ଦେହାନ୍ତ ହୋଇଛି ଏବଂ ଏହି କାରଣରୁ ସେ ନିଜ ଘର ମହାରାଷ୍ଟ୍ରକୁ ଫେରୁଛନ୍ତି। ମୁକ୍ତ ହୋଇଥିବା ଆଶୁତୋଷ ରାଙ୍କା ଓ ସୌରଭ ଦାସ ରବିବାର ଅପରାହ୍ଣରେ ସମଗ୍ର ଘଟଣାକ୍ରମ ଉପରେ ସାମ୍ବାଦିକ ସମ୍ମିଳନୀ କରିବେ। ମୁକ୍ତ ହେବା ପରେ ସୌରଭ ଦାସ ମଧ୍ୟ କହିଛନ୍ତି ଯେ ସେ ସାମ୍ବାଦିକ ସମ୍ମିଳନୀ କରି ଆଗାମୀ ରଣନୀତି ସମ୍ପର୍କରେ ସୂଚନା ଦେବେ।
ଘଟଣାକ୍ରମ ସମ୍ପର୍କରେ ଦୀପକେ କହିଛନ୍ତି, “କ’ଣ ଘଟିଲା, ତାହା ସମଗ୍ର ବିଶ୍ୱ ଦେଖିଛି। ଜ୍ଞାନେଶ କୁମାରଙ୍କ ସୁରକ୍ଷା ପାଇଁ ସମଗ୍ର ଦିଲ୍ଲୀ ଠପ୍ ହୋଇଗଲା। ଜ୍ଞାନେଶ କୁମାରଙ୍କଠାରେ ଏମିତି କ’ଣ ରହିଛି ଯେ, ତାଙ୍କୁ ସୁରକ୍ଷା ଦେବା ପାଇଁ ଆପଣ ଗତକାଲି ଲକ୍ଷ ଲକ୍ଷ ଲୋକଙ୍କୁ ଅସୁବିଧାରେ ପକାଇଲେ?”
କକରୋଚ୍ ଜନତା ପାର୍ଟିର ନେତୃତ୍ୱ ନେଉଥିବା ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଗତକାଲି ଦିଲ୍ଲୀ ବିମାନବନ୍ଦରରେ ବିମାନ ଭିତରୁ ହିଁ ସତର୍କତାମୂଳକ ଭାବେ ଗିରଫ କରାଯାଇଥିଲା। ରବିବାର ସେମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ (ଏସ୍ଇଏମ୍) ଅଦାଲତରେ ହାଜର କରାଯାଇଥିଲା। ସେଠାରେ ୫୦ ହଜାର ଟଙ୍କାର ବଣ୍ଡ୍ରେ ସେମାନଙ୍କୁ ମୁକ୍ତ କରାଯାଇଥିଲା।
ଦିଲ୍ଲୀ ପୁଲିସ ଅନୁଯାୟୀ, ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୨୬/୧୭୦ ଅନୁଯାୟୀ ସତର୍କତାମୂଳକ ଗିରଫ କରିବା ପାଇଁ ଅକ୍ଟୋବର ୧୦ ତାରିଖ ଶନିବାର ଗିରଫ କରାଯାଇଥିଲା। ସମସ୍ତ ଆଇନଗତ ପ୍ରକ୍ରିୟା ପାଳନ କରିବା ପରେ ଅକ୍ଟୋବର ୧୧ ତାରିଖ ରବିବାର ସେମାନଙ୍କୁ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଏସ୍ଇଏମ୍ ଅଦାଲତରେ ହାଜର କରାଯାଇଥିଲା।
ପୁଲିସ କହିବା ଅନୁଯାୟୀ, “ଶାନ୍ତି ଓ ସଦାଚରଣ ବଜାୟ ରଖିବା ପାଇଁ ଏକ ବର୍ଷ ଅବଧି ନିମନ୍ତେ ୫୦ ହଜାର ଟଙ୍କାର ଜାମିନ ବଣ୍ଡ୍ ଦାଖଲ କରାଯାଇଥିଲା ଏବଂ ଏସ୍ଇଏମ୍ ଅଦାଲତ ସେମାନଙ୍କୁ ମୁକ୍ତ କରିଥିଲେ।”
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା