
ନୂଆଦିଲ୍ଲୀ, ୧୧ ଅକ୍ଟୋବର (ହି.ସ.)। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୧୦ ତାରିଖରେ ପ୍ରଦର୍ଶନ କରିବା ପାଇଁ ଦିଲ୍ଲୀ ଆସୁଥିବା କକରୋଚ୍ ଜନତା ପାର୍ଟି (ସିଜେପି)ର ତିନି ନେତା ଅଭିଜିତ ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କ ସମେତ ଦଳର ଆଇନ ବିଭାଗ ମୁଖ୍ୟ ରତ୍ନା ସିଂହଙ୍କୁ ମୁକ୍ତ କରାଯାଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ସେମାନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି।
ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ଭଙ୍ଗ ନକରିବା ସର୍ତ୍ତରେ ସେମାନଙ୍କୁ ମୁକ୍ତ କରିବାକୁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। ସିଜେପିର ତିନି ନେତା ଦୀପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅକ୍ଟୋବର ୧୦ ତାରିଖରେ ବିମାନରୁ ଓହ୍ଲାଇବା ପରେ ହିଁ ଗିରଫ କରାଯାଇଥିଲା। ଦିଲ୍ଲୀ ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬ ଓ ୧୭୦ ଅନୁଯାୟୀ ସେମାନଙ୍କୁ ଗିରଫ କରିଥିଲା। ପ୍ରଦର୍ଶନ ପାଇଁ ବାହାରିବା ସମୟରେ ରତ୍ନା ସିଂହଙ୍କୁ ମଧ୍ୟ ଅକ୍ଟୋବର ୧୦ ତାରିଖରେ ତାଙ୍କ ଘର ନିକଟରୁ ଗିରଫ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଭୋଟ୍ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକରୋଚ୍ ଜନତା ପାର୍ଟି ସମେତ ବିଭିନ୍ନ ଛାତ୍ର, ଯୁବ ସଂଗଠନ ଓ ରାଜନୈତିକ ଦଳ ଅକ୍ଟୋବର ୧୦ ତାରିଖରେ ଜନ୍ତରମନ୍ତରଠାରେ ପ୍ରଦର୍ଶନ କରିବାକୁ ଘୋଷଣା କରିଥିଲେ। ଏହି ପ୍ରଦର୍ଶନରେ ଯୋଗଦେବା ପାଇଁ ସିଜେପି ନେତାମାନେ ଦିଲ୍ଲୀରେ ପହଞ୍ଚିଥିଲେ। ତେବେ ଶାନ୍ତି ଭଙ୍ଗ ହେବାର ଆଶଙ୍କା ଥିବା ଦର୍ଶାଇ ପୁଲିସ ସେମାନଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗିରଫ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା