
ନୂଆଦିଲ୍ଲୀ, ୧୧ ଅକ୍ଟୋବର (ହି.ସ.)। ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟ ନାଗରିକ ଭିତ୍ତିଭୂମି ଉପରେ ନିକଟରେ ହୋଇଥିବା ଆକ୍ରମଣକୁ ଭାରତ କଡ଼ା ଶବ୍ଦରେ ନିନ୍ଦା କରିଛି।
ବୈଦେଶିକ ମନ୍ତ୍ରଣାଳୟର ବିବୃତିରେ କୁହାଯାଇଛି, “ଗତ କିଛି ଦିନ ମଧ୍ୟରେ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ବାରମ୍ବାର ହୋଇଥିବା ଆକ୍ରମଣକୁ ଆମେ କଡ଼ା ନିନ୍ଦା କରୁଛୁ। ଏଥିରେ ଅକ୍ଟୋବର ୧୦ ତାରିଖରେ ହୋଇଥିବା କାପୁରୁଷୋଚିତ ଆକ୍ରମଣ ମଧ୍ୟ ସାମିଲ ରହିଛି। ଏହି ଆକ୍ରମଣରେ ଲୋକଙ୍କ ଜୀବନ ଯାଇଛି, ଅନେକ ଆହତ ହୋଇଛନ୍ତି ଏବଂ ସମ୍ପତ୍ତିର କ୍ଷୟକ୍ଷତି ଘଟିଛି। ଆମେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛୁ ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ।
“ସାଧାରଣ ନାଗରିକ ଏବଂ ନାଗରିକ ଭିତ୍ତିଭୂମି ଉପରେ ବାରମ୍ବାର ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ। ସାଉଦି ଆରବର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଆମେ ସେଠାକାର ଜନସାଧାରଣ ଓ ସରକାରଙ୍କ ସହ ଦୃଢ଼ ଏକତା ପ୍ରକାଶ କରୁଛୁ। ଏହି ଅଞ୍ଚଳରେ ଯଥାଶୀଘ୍ର ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରିଆସିବ ବୋଲି ଆମେ ଆଶା କରୁଛୁ।”
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମଙ୍ଗଳବାର ଅଭା ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣ ହୋଇଥିଲା। ଏଥିରେ ମରକ୍କୋ ଓ ଆଲଜେରିଆର ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ୨୮ ଜଣ ଆହତ ହୋଇଥିଲେ। କେତେକ ଆହତଙ୍କ ଅବସ୍ଥା ସାମାନ୍ୟରୁ ଗୁରୁତର ଥିବା ଜଣାପଡ଼ିଥିଲା। ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଯାଇଥିଲା।
ଦ୍ୱିତୀୟ ଆକ୍ରମଣ ବୁଧବାର ରାଜଧାନୀ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିଲା। ଏହାପରେ ଶନିବାର (ଗତକାଲି) ମଧ୍ୟ ଏଠାରେ ଆକ୍ରମଣ କରାଯାଇଥିଲା।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା